ଜମ୍ମୁକାଶ୍ମୀର ଅଧିକାର ପାଇଁ କୃଷକଙ୍କ ଭଳି ଲଢେଇ କରିବାକୁ ପ୍ରସ୍ତୁତ : ଫାରୁକ ଅବଦୁଲ୍ଲା
ଶ୍ରୀନଗର: ଜମ୍ମୁକାଶ୍ମୀରର ଅଧିକାର ପାଇଁ କୃଷକଙ୍କ ଭଳି ଲଢେଇ କରିବୁ ବୋଲି କହିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା । ଶ୍ରୀନଗରରେ ନ୍ୟାସନାଲ କନଫରେନ୍ସର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ ଏଭଳି କହିଛନ୍ତି ଫାରୁକ ଅବଦୁଲ୍ଲା । ଏହାସହ ଜମ୍ମୁକାଶ୍ମୀରକୁ ତାର ହକ ପାଇଁ କୃଷକ ମାନେ ଯେ ଭଳି ଲଢେଇ କରିଛନ୍ତି ଆମେ ମଧ୍ୟ ସେହିଭଳି ଲଢେଇ କରିବୁ ।
ରବିବାର ଶ୍ରୀନଗରରେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା ଦଳର ଯୁବ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ଯେ, ଜମ୍ମୁକାଶ୍ମୀର ତାର ଅଧିକାର ହାସଲ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧରେ ଲଢେଇ କରିବ । ଯେପର୍ଯ୍ୟନ୍ତ ଜମ୍ମୁକାଶ୍ମୀରକୁ ତାର ହକ ମିଳିନାହିଁ ସେହି ସମୟ ପର୍ଯ୍ୟନ୍ତ ଲଢେଇ କରିବ । ତିନୋଟି କୃଷକ ଆଇନକୁ ପ୍ରତ୍ୟାହାର ପାଇଁ ଦେଶର କୃଷକ ମାନେ ଭଳି ଲଢେଇ କରି ସଫଳ ହୋଇଛନ୍ତି । ଦେଶର ୭୦୦ କୃଷକ ପ୍ରାଣ ତ୍ୟାଗ କଲା ପରେ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି । ଆମେ ମଧ୍ୟ ଆମର ଅଧିକାର ଧାରା ୩୭୦ ଓ ୩୫ଏ ହାସଲ ପାଇଁ ସମସ୍ତ ପ୍ରକାର ତ୍ୟାଗ କରିବୁ ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି । ସେହିପରି ଜମ୍ମୁକାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ମଧ୍ୟ ଲଢେଇ ଜାରି ରହିବ ବୋଲି କହିଛନ୍ତି ।
ସେପଟେ ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଜମ୍ମୁକାଶ୍ମୀରରେ ବିକାଶମୂଳକ କାର୍ଯ୍ୟ ଚାଲିଛି । ପର୍ଯ୍ୟଟନ ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ପାଖକୁ ପହଞ୍ଚିଛି । ଜମ୍ମୁକାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ବରେ ବିକାଶମୂଳକ କାର୍ଯ୍ୟ ଚାଲିଛି। ଏହାସହ ଧିରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ବୋଲି କହିଥିଲେ । ଏହାକୁ ନେଇ ସହ ଫାରୁକ ଅବଦୁଲ୍ଲା କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଶାନ୍ତି ଫେରିବ, ୫୦୦୦୦ ଯୁବକଙ୍କୁ ରୋଜଗାର ମିଳିବ ବୋଲି କହିଥିଲେ । କିନ୍ତୁ କୁଆଡେ ଗଲା ଶାନ୍ତି ଓ ରୋଜଗାର ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।