ପିଏସଏଲକୁ ଅଧାରେ ଛାଡ଼ି ସ୍ୱଦେଶ ଫେରିଲେ ଫକନର, ଜାଣନ୍ତୁ କାରଣ କ’ଣ
ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ ଦେଇ ପାରିଲାନି ଟଙ୍କା । ଫଳରେ ପିଏସଏଲକୁ ଅଧାରେ ଛାଡି ସ୍ୱଦେଶ ଫେରିବାକୁ ନିଷ୍ପତି ନେଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍ସ ଫକନର । ପାକିସ୍ତାନ କ୍ରିକେଟ୍ ବୋର୍ଡ ଟଙ୍କା ଦେଇ ନପାରିବା କାରଣରୁ ଫକନର ପିଏସଏଲକୁ ଅଧାରେ ଛାଡିବାକୁ ନିଷ୍ପତି ନେଇଛନ୍ତି । ପିସିବି ତାଙ୍କୁ ମିଥ୍ୟା କହିଥିବା ଅଭିଯୋଗ କରିଛନ୍ତି ଏହି ଅଷ୍ଟ୍ରେଲିଆ ବୋଲର ।
ନିଜର ଟୁଇଟର ହ୍ୟାଣ୍ଡେଲରେ ପିଏସଏଲ ଛାଡିବାର ଆନୁଷ୍ଠାନିକ ସୂଚନା ଦେଇ ଫକନର ଲେଖିଛନ୍ତି, ମୁଁ ପାକିସ୍ତାନ କ୍ରିକେଟ୍ ପ୍ରଶଂସକଙ୍କୁ କ୍ଷମା ମାଗୁଛି । ଦୁର୍ଭାଗ୍ୟବଶତଃ ମୋତେ ଆଗାମୀ ୨ଟି ମ୍ୟାଚ୍?ରୁ ହଟିବାକୁ ପଡୁଛି । ପିସିବି ଦ୍ୱାରା ଫି ନମିଳିବା କାରଣରୁ ଏମିତି ନିଷ୍ପତି ନେବାକୁ ପଡିଛି । ସେ ଲେଖିଛନ୍ତି, ପିଏସଏଲ ଛାଡିବାରେ ମୋତେ ଦୁଃଖ ଲାଗୁଛି । କାରଣ ମୁଁ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ଚାହୁଁଥିଲି । ଏଠାରେ ବହୁତ ଯୁବ ପ୍ରତିଭା ଅଛନ୍ତି ଏବଂ ଅଦ୍ଭୁତ ପ୍ରଶଂସକ ମଧ୍ୟ ଅଛନ୍ତି । ମାତ୍ର ଏଠାରେ ମୋତେ ଯେଉଁ ବ୍ୟବହାର ମିଳିଲା, ପିସିବି ଏବଂ ପିଏସଏଲ ପକ୍ଷରୁ ଏକ ଅପମାନ । ଆଶା କରୁଛି ଆପଣମାନେ ମୋ ପରିସ୍ଥିତିକୁ ବୁଝି ପାରିବେ ।
ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ମାମଲାରେ ସଫେଇ ଦେଇ କହିଛି, ପିସିବି ଏବଂ କ୍ୱେଟା ଗ୍ଲାଡିଏଟର୍ସ ଜେମ୍ସ ଫକରନଙ୍କ ମିଥ୍ୟା ଏବଂ ଭ୍ରମାତ୍ମକ ଅଭିଯୋଗ ଉପରେ ଦୁଃଖ ପ୍ରକାଶ କରିଛି । ଶୀଘ୍ର ଏହି ମାମଲାରେ ଏକ ବିସ୍ତୃତ ବୟାନ ଜାରି କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପିଏସଏଲ ୨୦୨୨ରେ ଫକନର କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଥିଲେ । ତାଙ୍କ ଦଳ ୯ଟି ମ୍ୟାଚ୍ରୁ ୩ଟିରେ ବିଜୟୀ ହୋଇ ପଏଂଟ ଟେବୁଲର ପଂଚମ ସ୍ଥାନରେ ରହିଛି ।