ଦିଲ୍ଲୀ ଟେଷ୍ଟରେ ୭ ୱିକେଟ୍ ନେଲେ ଜାଡେଜା, ୬ ଜଣ ବୋଲ୍ଡ ଓ ଜଣେ କ୍ୟାଚ୍ ଆଉଟ୍
ଭାଙ୍ଗିଲେ ଅଲରାଉଣ୍ଡର କପିଲ ଦେବଙ୍କ ରେକର୍ଡ
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ପୁଣି ଆତ୍ମସମର୍ପଣ କଲା ଅଷ୍ଟ୍ରେଲିଆ । ପ୍ରଥମେ ନାଗପୁର ଓ ପରେ ଦିଲ୍ଲୀ ଟେଷ୍ଟକୁ ମଧ୍ୟ ଅଢେଇ ଦିନରେ ଜିତିଛି ଟିମ୍ ଇଣ୍ଡିଆ । ତୃତୀୟ ଦିନରେ କଙ୍ଗାରୁଙ୍କୁ ମାତ୍ ଦେଇ ୬ ଓ୍ବିକେଟରେ ଦ୍ବିତୀୟ ଟେଷ୍ଟ ଜିତି ନେଇଛି ଭାରତ । ଫଳରେ ୪ ମ୍ୟାଚ୍ ବିଶିଷ୍ଟ ସିରିଜିକୁ ୨-୦ରେ ଆଗରେ ରହିଛି ରୋହିତ୍ ବାହିନୀ। ଦିଲ୍ଲୀ ମ୍ୟାଚ ବିଜୟର ହିରୋ ଥିଲେ ରବିନ୍ଦ୍ର ଜାଡେଜା । ଜାଡେଜା ନିଜ ବୋଲିଂର ଯାଦୁ ଦେଖାଇ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ନେଇଥିଲେ। ୭ ୱିକେଟ୍ ମଧ୍ୟରୁ ୬ ବ୍ୟାଟର ବୋଲ୍ଡ ଏବଂ ଜଣେ ବ୍ୟାଟର କ୍ୟାଚ୍ ଆଉଟ୍ ହୋଇଥିଲେ । ଜାଡେଜା ୧୨.୧ ଓଭରରେ ୪୨ ରନ ଦେଇ କଙ୍ଗାରୁ ଟିମର ୬ ବ୍ୟାଟରଙ୍କୁ ବୋଲ୍ଡ କରିଥିଲେ ।
ଦିଲ୍ଲୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ବିପକ୍ଷରେ ୭ ୱିକେଟ୍ ହାସଲ କରି ଜାଡେଜା ଭାରତର ପୂର୍ବତନ ମହାନ ଅଲରାଉଣ୍ଡର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କିପଲ ଦେବ ଅଷ୍ଟ୍ରେଲିଆ ବିପକ୍ଷରେ ୨୦ଟି ଟେଷ୍ଟର ମୋଟ ୭୯ ୱିକେଟ୍ ହାସଲ କରିଥିଲେ । ଏବେ ଜାଡେଜାଙ୍କ ନାଁରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ ମୋଟ ୮୦ ୱିକେଟ୍ ରହିଛି । ଏହାସହ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ଅଧିକ ୱିକେଟ୍ ହାସଲ କରିଥିବା ଭାରତୀୟ ବୋଲରଙ୍କ ଲିଷ୍ଟରେ ଜାଡେଜା ଚତୁର୍ଥ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ଅଧିକ ୱିକେଟ୍ ହାସଲ କରିଥିବା ଭାରତୀୟଙ୍କ ସୂଚୀରେ ୧୧୧ ୱିକେଟ୍ ସହ ଅନିଲ କୁମ୍ୱଲେ ପ୍ରଥମ ସ୍ଥାନରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ଅଶ୍ୱିନ ଅଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ଯାଏ ମୋଟ ୧୦୩ ନେଇଛନ୍ତି । ହରଭଜନ ସିଂ ୯୫ ୱିକେଟ ସହ ତୃତୀୟ ସ୍ଥାନରେ ଅଛନ୍ତି ।
ସୂଚନା ଯେ, ଦିଲ୍ଲୀ ଟେଷ୍ଟରେ ତୃତୀୟ ଦିନରେ ଭାରତୀୟ ସ୍ପିନର ଅଶ୍ୱିନ ଏବଂ ଜାଡେଜାଙ୍କ ଯାଦୁଗରୀ ଆଗରେ ଅଷ୍ଟ୍ରେଲିଆ ଟିମ୍ ୧୧୩ରେ ସୀମିତ ହୋଇଥିଲା । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧ ରନ ଲିଡ୍ ଥିଲା । ଏହାପରେ ଭାରତ ଆଗରେ ୧୧୫ ରନର ରାର୍ଗେଟ ରହିଥିଲା । ଯାହାକୁ ଭାରତ ୪ ୱିକେଟ୍ ହରାଇ ସହଜରେ ହାସଲ କରି ଦ୍ୱିତୀୟ ମ୍ୟାଚକୁ ନିଜ ନାଁରେ କରିଛି ।