ଚାଟିଂ ଖୋଲିଲା ସତ ! ରାଗିଂ ନେଇଛି ମେଡିକାଲ ଛାତ୍ରଙ୍କ ଜୀବନ
ଭୁବନେଶ୍ୱର : ବଲାଙ୍ଗିର ମେଡିକାଲ କଲେଜର ଛାତ୍ର ନିଶାନ୍ତ କୁମାର ଛାତରୁ ଖସି ମୃତ୍ୟୁ ଘଟଣା । ପ୍ରଥମେ ଦୁର୍ଘଟଣାବଶତଃ ଛାତରୁ ପଡ଼ିଥାଇପାରନ୍ତି ବୋଲି କୁହାଯାଉଥିବାବେଳେ ଏବେ କିନ୍ତୁ ଏହାର ଆଉ ଗୋଟିଏ ଦିଗ ପଦାକୁ ଆସିଛି । କଲେଜରେ ସିନିଅରମାନେ ବହୁତ ରାଗିଂ କରୁଥିବାରୁ ଛାତ୍ରଙ୍କର ମୃତ୍ୟୁ ଘଟିଥିବାର ପ୍ରାରମ୍ଭିକ ପ୍ରମାଣ ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ, ରାଜସ୍ଥାନରୁ ଆସିଥିବା ଏହି ଡାକ୍ତରୀ ଛାତ୍ରଙ୍କୁ ରାଗିଂ କରାଯାଉଥିଲା । ନିଜ ସାଙ୍ଗକୁ ସେ ମେସେଜ କରି ଏହା ଜଣାଇଥିଲେ । ଘରକୁ ମଧ୍ୟ ଫୋନ କରି ଜଣାଇଥିଲେ । ତେବେ କାଳେ ଆକ୍ରୋଶ ରଖି ସିନିଅରମାନେ ଅଧିକ ହଇରାଣ କରିବେ ସେଥିପାଇଁ ସେ ଲିଖିତ ଅଭିଯୋଗ କରିନଥିଲେ ।
ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା, ତାହା ତ ଭିନ୍ନ କଥା, କିନ୍ତୁ ରାଗିଂ ଯେ, ଏକ ବଡ଼ କାରଣ ସେନେଇ କିଛି ପ୍ରମାଣ ମିଧ୍ୟ ମିଳିଛି । ବଲାଙ୍ଗିର ମେଡିକାଲ କଲେଜର ଭଲିବଲ କୋର୍ଟରେ ଜୁନିଅରମାନଙ୍କୁ ଖେଳିବାର ସୁଯୋଗ ମିଳୁନଥିଲା । ବରଂ ସେମାନଙ୍କୁ ଠିଆ ହୋଇ ଖେଳ ଦେଖିବାକୁ ବାଧ୍ୟ କରାଯାଉଥିଲା । ପାର୍କକୁ ମଧ୍ୟ ସେମାନେ ଯାଇ ପାରୁନଥିଲେ । ଅପରପକ୍ଷରେ ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ନିଶାନ୍ତଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । କ୍ୟାମ୍ପସକୁ ରାଗିଂ ଫ୍ରି କରାଯିବା ସହ ନିଶାନ୍ତଙ୍କୁ କେଉଁ କେଉଁ ଛାତ୍ରମାନେ ରାଗିଂ କରୁଥିଲେ ତାହାର ତଦନ୍ତ କରି ଦଣ୍ଡ ଦେବାକୁ ରାଗିଂ ଫ୍ରି କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ା ଦାବି କରିଛନ୍ତି ।