ଭୂତଳ ରାସ୍ତା ଓ ଗଳାପୋଲ ପ୍ରଶସ୍ତିକରଣ ପାଇଁ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱରର ଜନସାଧାରଣଙ୍କ ପକ୍ଷରୁ ବହୁଦିନ ଧରି ସଂକୀର୍ଣ୍ଣ ଗଳାପୋଲ ପ୍ରଶସ୍ତିକରଣ ଓ ଫାଣ୍ଡିଛକରୁ ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ଭୂତଳ ରାସ୍ତା ନିମନ୍ତେ ରେଳବିଭାଗ ନିକଟରେ ଦାବି ହୋଇଆସୁଥିଲା । ଏହି କ୍ରମରେ ଜିଲାବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଶୁଭଙ୍କର ମହାପାତ୍ରଙ୍କ ସହ ତ୍ରିଭୁବନ ଦାସ, ବିଜୟଦାସ ଅଧିକାରୀ ଓ ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳମନ୍ତ୍ରାଳୟରେ ସାକ୍ଷାତ ପୂର୍ବକ ଦାବିପତ୍ର ପ୍ରଦାନ କରିଛନ୍ତି ।
ପୁରୁଣା ଓଟି ରୋଡ୍ରୁ ସହର ମଧ୍ୟକୁ ପ୍ରବେଶ ସମୟରେ ବ୍ରିଟିଶ ଅମଳର ରେଳଲାଇନ ତଳର ପାଣିନାଳ ଯାହା ପରବର୍ତ୍ତୀ ସମୟରେ ଗଳାପୋଲ ଭାବେ ନାମିତ ହୋଇଛି, ଏହା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ହେତୁ ଦୁର୍ଘଟଣା ହେବା ସହିତ ଯାନବାହନ ଚଳାଚଳରେ ବହୁ ଅସୁବିଧା ହେଉଛି । ସେହିଭଳି ଜନଗହଳିପୂର୍ଣ୍ଣ ଫାଣ୍ଡି ଛକରୁ ନୂଆଷ୍ଟେସନ ହେବାକୁ ଥିବା ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡ ନିମନ୍ତେ ରେଳଲାଇନ ଡେଇଁକରି ଯିବାକୁ ହେଉଛି ଓ ଏହାଦ୍ୱାରା ବହୁ ଦୁର୍ଘଟଣା ଘଟିବା ସଂଗେ ସଂଗେ ଏହା ଅତ୍ୟନ୍ତ ବିପଦସଙ୍କୁଳ । ରେଳମନ୍ତ୍ରୀ ବୈଷ୍ଣବ ଫାଣ୍ଡିଛକ ଭୂତଳ ରାସ୍ତା ଓ ଗଳାପୋଲ ପ୍ରଶସ୍ତିକରଣର ନିର୍ମାଣ ନିମନ୍ତେ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିବା ସଂଗେ ସଂଗେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।