ଆଇଏସ୍ଏଲ୍ : ହିରୋ ଇଣ୍ଡିଆନ ସୁପର ଲିଗ୍ ୨୦୨୧-୨୨ ସିଜନ୍ରେ ଶ୍ରେଷ୍ଠ ୫ ଅଣ୍ଡର-୨୦ ଖେଳାଳିଙ୍କ ଉପରେ ସଭିଙ୍କ ନଜର!
କୋଲକାତା : ଭାରତର ଯୁବ ଫୁଟବଲ୍ ଖେଳାଳିମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ଏବଂ ଉନ୍ନତମାନର କରିବା ପାଇଁ ଆଇଏସ୍ଏଲ୍ ଏକ ଉତ୍ତମ ପ୍ଲାଟଫର୍ମ ଅଟେ । ଏହି ପ୍ଲାଟଫର୍ମରେ ଖେଳୁଥିବା ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କଲେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ ବୋଲି ବିଶ୍ୱାସ ରହିଛି । ଅଣ୍ଡର-୨୦ରେ ଖେଳୁଥିବା ୫ଜଣ ଖେଳାଳିଙ୍କ ଉପରେ ସମସ୍ତଙ୍କର ନଜର ଚଳିତ ସିଜନ୍ରେ ରହିଛି । ଇଣ୍ଡିଆନ ସୁପର ଲିଗ୍ ବିଗତ କିଛିବର୍ଷ ହେଲା ଯୁବ ପ୍ରତିଭାଧର ଖେଳାଳିମାନଙ୍କୁ ପଡ଼ିଆରେ ଭଲ ପ୍ରଦର୍ଶନ ପାଇଁ ସୂଯୋଗ ଦେଇଆସିଛି । ଯୁବ ଖେଳାଳୀମାନଙ୍କ ଉନ୍ନତମାନର ଖେଳ ପ୍ରଦର୍ଶନ ଏବଂ ଯୁବ ଖେଳାଳିମାନଙ୍କ ସାଲିସ୍ବିହୀନ ଖେଳ ପ୍ରଦର୍ଶନ ଯୋଗୁଁ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଅଷ୍ଟମ ସିଜନ୍ରେ ଇଣ୍ଡିଆନ୍ ସୁପର ଲିଗ୍ରେ ସେମାନଙ୍କ ଠାରୁ ଅଧିକ କିଛି ଆଶା କରାଯାଉଛି ।
ମହମ୍ମଦ ନେମିଲ (ଏଫ୍ସି ଗୋଆ) :
ମହମ୍ମଦ ନେମିଲ ଭାଲିୟାତି ୧୯ବର୍ଷ ବୟସ୍କ ମିଡ୍ଫିଲ୍ଡର ସମ୍ପ୍ରତ୍ତି ଏଫ୍ସି ଗୋଆ ଦଳ ପାଇଁ ଖେଳୁଛନ୍ତି । ସେ ଜଣେ ଦକ୍ଷ ଖେଳାଳୀଭାବେ ମଧ୍ୟ ଜଣାଶୁଣା । ଅତୀତରେ ରିଲାୟନ୍ସ ଫାଉଣ୍ଡେସନ୍ ୟଙ୍ଗ ଚାମ୍ପସ୍ (ଆର୍ଏଫ୍ୱାଇସି)ରୁ ନିଜର ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ପ୍ରଥମ ୩ ବର୍ଷ ସେ ଆର୍ଏଫ୍ୱାଇସି ପାଇଁ ଖେଳୁଥିଲେ । ନେମିଲ୍ ମୋଟ୍ ୪୫ଟି ଗୋଲ୍ ଦେଇଥିବା ବେଳେ ୩୧ଟି ଯୁବ ଫୁଟବଲ୍ ପ୍ରତିଯୋଗୀତା ଅଂଶଗ୍ରହଣ କରିଛନ୍ତି । ୨୦୧୯ରେ ସେ ମାର୍ସେଟ୍ ହାଇପାରଫରମାନ୍ସ ଏକାଡ଼େମୀରେ ସାମିଲ୍ ହୋଇ ସ୍ପେନ୍ରେ ପ୍ରଶିକ୍ଷଣ ନେଇଥିଲେ । ନେମିଲଙ୍କୁ ବାର୍ସିଲୋନାରେ ଥିବା ଏଫ୍ଇ ଗ୍ରାନା କ୍ଲବ ପାଇଁ ପରୀକ୍ଷାମୂଳକ ଭାବେ ଖେଳିବାକୁ ସୂଯୋଗ ମିଳିଥିଲା । ଏକ ସପ୍ତାହ ପରୀକ୍ଷଣ ପରେ ତାଙ୍କୁ କ୍ଲବରେ ଖେଳିବାକୁ ମଧ୍ୟ ସୂଯୋଗ ଦିଆଯାଇଥିଲା ।
ଆକାଶ ମିଶ୍ର (ହାଇଦ୍ରାବାଦ ଏଫ୍ସି) :
୧୯ ବର୍ଷ ବୟସ୍କ ଆକାଶ ମିଶ୍ର ଲେଫ୍ଟ ବ୍ୟାକ୍ ଖେଳାଳି ଭାବେ ହାଇଦ୍ରାବାଦ ଏଫ୍ସିରେ ଖେଳୁଛନ୍ତି । ଆକାଶ ନିଜର କ୍ୟାରିୟର୍ ଜର୍ମାନୀର ୟୁ ଡ୍ରିମ୍ ଫୁଟବଲ ଏକାଡ଼େମୀରୁ ଖେଳ ଆରମ୍ଭ କରି ୩ ବର୍ଷ ଖେଳିଥିଲେ । ୨୦୧୮ ମସିହାରେ ତାଙ୍କୁ ଇଣ୍ଡିଆନ୍ ଏରୋଜ୍ ଟିମ୍ ଭାରତକୁ ଆମନ୍ତ୍ରଣ କରି ନିଜ ଟିମ୍ରେ ସାମିଲ୍ କରିଥିଲା । ୨୦୨୦ ମସିହାରେ ଆକାଶରେ ହାଇଦ୍ରାବାଦ ଏଫ୍ସି ପାଇଁ ୩ବର୍ଷ ଖେଳିବା ପାଇଁ ଚୁକ୍ତି କରିଥିଲେ । ଆଇଏସ୍ଏଲ୍ରେ ଖେଳିବା ପାଇଁ ହାଇଦ୍ରାବାଦ ଦଳ ତାଙ୍କୁ ସୂଯୋଗ ଦେଇଥିବା ବେଳେ ସେ ଓଡ଼ିଶା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଆକାଶ ଏଚ୍ଏଫ୍ସି ଟିମ୍ରେ ନିୟମିତ ଭାବେ ଖେଳିଥିଲେ । ସେ ମୋଟ୍ ୨୦ଟି ମ୍ୟାଚ୍ ଖେଳିଛନ୍ତି । ପରବର୍ତ୍ତୀ ସମୟରେ ଅଣ୍ଡର-୨୩ ଟିମ୍ରେ ସାମିଲ୍ ହୋଇ ଏଏଫ୍ସି ଅଣ୍ଡର-୨୩ ଚାମ୍ପିୟନସିପ୍ ପାଇଁ କ୍ୱାଲିଫାଇ କରିଥିଲେ ।
ବିକ୍ରମ ପ୍ରତାପ ସିଂ (ମୁମ୍ବାଇ ସିଟି ଏଫ୍ସି) :
ମୁମ୍ବାଇ ସିଟି ଏଫ୍ସି ପାଇଁ ଫରୱାର୍ଡ଼ରେ ଖେଳୁଥିବା ବିକ୍ରମ ପ୍ରତାପ ସିଂ ନିଜର କ୍ୟାରିୟର୍ ଚଣ୍ଡୀଗଡ଼ ଫୁଟବଲ ଏକାଡ଼େମୀରୁ ଆରମ୍ଭ କରି ଇଣ୍ଡିଆନ୍ ଏରୋଜ୍ ଟିମ୍ ପାଇଁ ୨୦୧୮ ମସିହାରେ ସାମିଲ୍ ହୋଇଥିଲେ । ୨୦୨୦ ମସିହାରେ ମୁମ୍ବାଇ ସିଟି ଏଫ୍ସି ବିକ୍ରମଙ୍କୁ ୩ ବର୍ଷ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କର ଏହି ଟିମ୍ ସହ ଚୁକ୍ତିନାମା ସମ୍ପ୍ରସାରଣ ହୋଇଥିଲା । ସର୍ଗିଓ ଲୋବେରାଙ୍କ କୋଚିଂରେ ସେ ମୋଟ୍ ୧୦ଟି ମ୍ୟାଚ୍ ଖେଳିଛନ୍ତି ।
ରୋହିତ ଦାନୁ (ହାଇଦ୍ରାବାଦ ଏଫ୍ସି) :
ହାଇଦ୍ରାବାଦ ଫୁଟବଲ୍ କ୍ଲବ ୧୯ ବର୍ଷ ବୟସ୍କ ଷ୍ଟ୍ରାଇକର ରୋହିତ ଦାନୁଙ୍କୁ ନିଜ ଦଳରେ ସାମିଲ୍ କରିବା ପରେ ଦଳର ମାନ୍ୟତା ବୃଦ୍ଧି ପାଇଥିଲା । ୨୦୧୯ରେ ସେ ଇଣ୍ଡିଆନ୍ ଏରୋଜ୍ ଟିମ୍ ସହ ଚୁକ୍ତିବଦ୍ଧ ହୋଇଥିଲେ । ତାଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ସେ ହାଇଦ୍ରାବାଦ ଏଫ୍ସି ଟିମ୍ ସହ ୩ ବର୍ଷ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ । ୨୦୧୭ରେ ଦାନୁ ଅଣ୍ଡର-୧୭ ବିଶ୍ୱକପ୍ ସ୍କ୍ୱାର୍ଡ଼ରେ ସାମିଲ୍ ହେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ୧୫ ବର୍ଷ ବୟସରେ ସେ ଆଣ୍ଠୁରେ ଆଘାତ ପାଇବା ଯୋଗୁଁ ଟିମ୍ରୁ ବାଦ୍ ପଡ଼ିଥିଲେ । ତାଙ୍କର ଡ୍ରିବଲିଂ କଳାକୌଶଳ ଏବଂ ପ୍ରତ୍ୟେକ ମ୍ୟାଚ୍ରେ ତାଙ୍କର ଖେଳ ପ୍ରଦର୍ଶନର ପରିପକ୍ୱତା ତାଙ୍କୁ ଯୁବ ବୟସରେ ସ୍ୱତନ୍ତ୍ର ସ୍ଥାନ ଦେଇପାରିଥିଲା । ସେ ମୋଟ୍ ୫ଟି ମ୍ୟାଚ୍ ଖେଳିଛନ୍ତି । ଏହି ସିଜନ୍ରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।
ହାଓବାମ୍ ତୋମ୍ବା ସିଂହ (ଏସ୍ସି ଇଷ୍ଟ ବେଙ୍ଗଲ) :
୧୮ ବର୍ଷ ବୟସ୍କ ମିଡ୍ଫିଲ୍ଡର ହାଓବାମ୍ ତୋମ୍ବା ସିଂହ ସମ୍ପ୍ରତି ଏସ୍ସି ଇଷ୍ଟ ବେଙ୍ଗଲ ଦଳ ପାଇଁ ଖେଳୁଛନ୍ତି । ୨୦୨୦ ମସିହାରେ ଏସ୍ସି ଇଷ୍ଟ ବେଙ୍ଗଲ ଦଳରେ ଖେଳିବା ପୂର୍ବରୁ ସେ କ୍ଲାସିକ୍ ଫୁଟବଲ୍ ଏକାଡ଼େମୀରେ ପ୍ରଶିକ୍ଷଣ ଲାଭ କରିଥିଲେ । ୧୭ ବର୍ଷ ବୟସରେ ସେ ପ୍ରଥମେ ଏସ୍ସି ଇଷ୍ଟ ବେଙ୍ଗଲ ଦଳରେ ସାମିଲ୍ ହୋଇ ୧-୧ରେ କେରଳ ବ୍ଲାଷ୍ଟର୍ସ ସହ ମ୍ୟାଚ୍କୁ ଡ୍ର କରିବାରେ ସକ୍ଷମ ହୋଇଥିଲେ । ଲିଭରପୁଲର ପ୍ରଖ୍ୟାତ ଖେଳାଳୀ ରୋବି ଫାଉଲର ତୋମ୍ବା ସିଂହଙ୍କୁ ୪ଥର ଖେଳିବା ପାଇଁ ସୂଯୋଗ ଦେଇଥିଲେ ।