ଆଇଏସ୍ଏଲ୍ : ଆଜି ଓଡ଼ିଶାଏଫ୍ସି-ବେଙ୍ଗାଲୁରୁ ଏଫ୍ସି ମୁକାବିଲା

ଭୁବନେଶ୍ବର: ଚଳିତ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଆଜି ଓଡ଼ିଶା ଏଫ୍ସି ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ବେଙ୍ଗାଲୁରୁ ଏଫ୍ସିକୁ ଭେଟିବ। ଉଭୟ ଦଳ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ଏଫ୍ସି କେବଳ ଗୋଟିଏ ଏବଂ ବେଙ୍ଗାଲୁରୁ ୪ଟିରେ ବିଜୟ ଲାଭ କରିଛି। ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଥିଲା। ତେଣୁ ଆଜି ବେଙ୍ଗାଲୁରୁ ଦୃଢ଼ ଦାବିଦାର ରହିବା ସମ୍ଭାବନା ରହିଛି। ହେଲେ ଘରୋଇ ପଡ଼ିଆରେ ଓଡ଼ିଶା ଏଫ୍ସି ନିଜର ପ୍ରଥମ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସକୁ ହରାଇଥିବାରୁ ବେଙ୍ଗାଲୁରୁ ମଧ୍ୟ ମାତ୍ ଦେଇପାରିବ ବୋଲି ଆଶା ବାନ୍ଧିଛି। ଏଥିସହ ବିଜୟ ଧାରା ଲକ୍ଷ୍ୟ ନେଇ ଗୁରୁବାର ପଡ଼ିଆକୁ ଓହ୍ଲାଇବ ଏହି ଭୁବନେଶ୍ବର ଭିତ୍ତିକ ଦଳ।
ଘରୋଇ ପଡ଼ିଆରେ ଖେଳିବା ପୂର୍ବରୁ ଓଏଫ୍ସି ବାହାରେ ଦୁଇଟି ମ୍ୟାଚ୍ ଖେଳିଥିଲା। ପ୍ରଥମ ମ୍ୟାଚ୍ରେ ଜାମସେଦପୁର ଏଫ୍ସିକୁ ତା’ ମାଟିରେ ହରାଇ ବିଜୟରୁ ଚଳିତ ଋତୁ ଆରମ୍ଭ କରିଥିଲା। ହେଲେ ମୁମ୍ବାଇ ସିଟି ଏଫ୍ସିଠୁ ହାରିଯାଇଥିଲା। ସଂପ୍ରତି ଦଳ ୩ ମ୍ୟାଚ୍ରୁ ୨ ବିଜୟ ଓ ୧ ବିଜୟ ସହ ୬ ପଏଣ୍ଟ ପାଇଛି। ଦଳର ପ୍ରଥମ ପସନ୍ଦର ଷ୍ଟ୍ରାଇକର ଡିଏଗୋ ମୌରିସିଓ ଗତ ଦୁଇ ମ୍ୟାଚ୍ରେ ଗୋଲ୍ ଶୂନ୍ୟ ରହିଛନ୍ତି। ହେଲେ ଆରମ୍ଭରୁ ସେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଉଛନ୍ତି। ଗତ ୩ ମ୍ୟାଚ୍ରେ ୧ ଘଣ୍ଟା ପରେ ବଦଳ ଖେଳାଳି ଭାବେ ପଡ଼ିଆକୁ ଆସୁଥିବା ପେଡ୍ରୋ ମାର୍ଟିନ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଗୋଲ୍ ଖାତା ଖୋଲି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର ଦାବିଦାର ହୋଇଛନ୍ତି।
On the hunt for 2 back-to-back wins
— Odisha FC (@OdishaFC) October 26, 2022
Get your tickets now for our game against BFC on PayTM Insider#OdishaFC #AmaTeamAmaGame #TheEasternDragons #HeroISL #OFCBFC
ବେଙ୍ଗାଲୁରୁ ଏଫ୍ସି ଏକ ଭଲ ଦଳ। ମ୍ୟାଚ୍ ଦିନର ପ୍ରଦର୍ଶନ ହିଁ ଫଳାଫଳ ଦେଇଥାଏ। ଘରୋଇ ପଡ଼ିଆରେ ଖେଳୁଥିବାରୁ ଦଳର ମନୋବଳ ଦୃଢ଼ ରହିଛି। ବିଜୟ ଧାରା ଜାରି ରଖିବା ଆମର ପ୍ରମୁଖ ଲକ୍ଷ୍ୟ ରହିବ। ଏଥିପାଇଁ ଆମେ ପୂରା ପ୍ରସ୍ତୁତ ରହିଛୁ। କେରଳ ବ୍ଲାଷ୍ଟର୍ସ ବିପକ୍ଷ ଗତ ମ୍ୟାଚ୍ରେ ଆମେ ଆରମ୍ଭରୁ ପଛରେ ରହିଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତି ନେଇଥିଲୁ। ଏହି ବିଜୟ ଦଳର ଆତ୍ମବିଶ୍ବାସକୁ ବଢ଼ାଇଛି। ଦଳର ଦୃଢ଼ ମାନସିକତା ଯୋଗୁଁ ଦୁଇ ଦୁଇଟି ମ୍ୟାଚ୍ ପ୍ରତ୍ୟାବର୍ତ୍ତନରେ ବିଜୟୀ ହୋଇଛୁ’’ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଏଫ୍ସିର ମୁଖ୍ୟ ପ୍ରଶିକ୍ଷକ ଗମ୍ବାଉ କହିଛନ୍ତି। ଏହି ସମ୍ମିଳନୀରେ ଦଳର ମଧ୍ୟଭାଗ ଖେଳାଳି ରେନିଅର ଫର୍ଣ୍ଣାଡିଜ୍ ଉପସ୍ଥିତ ଥିଲେ।
The Blues will look to get back to winning ways as they prepare to go up against Odisha FC, in the #HeroISL.
— Bengaluru FC (@bengalurufc) October 26, 2022#WeAreBFC #NothingLikeIt #OFCBFC pic.twitter.com/K7OZIM8obL
ଅନ୍ୟପକ୍ଷରେ ବେଙ୍ଗାଲୁରୁ ଏଫ୍ସି ୩ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ସହ ଗୋଟିଏ ଅମୀମାଂସିତ ରଖିଛି। ପ୍ରଥମ ମ୍ୟାଚ୍ରେ ନର୍ଥଇଷ୍ଟ ୟୁନାଇଟେଡ୍କୁ ଘରୋଇ ପଡ଼ିଆରେ ମାତ୍ ଦେଇଥିଲା। ଏହା ପରେ ଦଳ ବାହାରେ ଦୁଇଟି ମ୍ୟାଚ୍ ଖେଳିଥିଲା। ଚେନ୍ନାୟିନ୍ ଏଫ୍ସି ସହ ଅମୀମାଂସିତ ରଖିଥିଲା ବେଳେ ଗତ ମ୍ୟାଚ୍ରେ ବିଜେତା ହାଇଦ୍ରାବାଦ ଏଫ୍ସିଠୁ ହାରିଯାଇଥିଲା। ‘‘ଆଇଏସ୍ଏଲ୍ ଏକ ଅଲଗା ଅନୁଭବ। ଏଠାରେ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ରହିବା ସହ ଦର୍ଶକଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଆମେ ୩ ଦଳ ବିପକ୍ଷରେ ଖେଳିସାରିଲୁଣି। ଏହି ମ୍ୟାଚ୍ଗୁଡ଼ିକରେ ଆମେ କମ୍ ସୁଯୋଗ ସୃଷ୍ଟି କରିଛୁ। ପଜେସନ ଏବଂ ଅଧିକ ସୁଯୋଗ ସୃଷ୍ଟି ଉପରେ ଆମକୁ ଆହୁରି ଭଲ କରିବାକୁ ପଡ଼ିବ। କୌଣସି ଦଳକୁ ଗୌଣ ମନେ କରୁନୁ। ଓଏଫ୍ସି ଘରୋଇ ପଡ଼ିଆରେ ଖେଳୁଥିବାରୁ ଦର୍ଶକଙ୍କ ସମର୍ଥନରେ ସବୁ ଓଲଟ ପାଲଟ କରିବାର କ୍ଷମତା ରଖିଛି’’ ବୋଲି ବେଙ୍ଗାଲୁରୁ ଏଫ୍ସି ପ୍ରଶିକ୍ଷକ ସିମନ ଗ୍ରେସନ କହିଛନ୍ତି।
ସୂଚନା ଯେ, ଦର୍ଶକମାନେ ଷ୍ଟାଡିୟମକୁ ପାୱାର ବ୍ୟାଙ୍କ୍, ସିଗାରେଟ ଲାଇଟର, ସେଲ୍ଫି ଷ୍ଟିକ୍, ବାଡ଼ି, ବ୍ୟାଗ୍, ପାଣି ବୋତଲ, ଛତା, କ୍ୟାମେରା, ମାରଣାସ୍ତ୍ର, ଖାଦ୍ୟପଦାର୍ଥ, ହେଲ୍ମେଟ୍, କଏନ୍ସ, ବାଇନାକୁଲାର ନେଇପାରିବେନି। ଦର୍ଶକମାନେ ଗାଡ଼ି ନ୍ୟୁ ଏଜି କଲୋନି, ନିକୋ ପାର୍କ ରାସ୍ତାରେ ଥିବା ପାର୍କିଂ ସ୍ଥାନରେ ରଖିବେ। ଗେଟ୍ ନମ୍ବର ୧ ଓ ୪ରେ ପ୍ରବେଶ କରିବାକୁ ଥିବା ଦର୍ଶକଙ୍କ ପାଇଁ ନ୍ୟୁ ଏଜି କଲୋନି ଏବଂ ୩ ନମ୍ବର ଗେଟ୍ରେ ପ୍ରବେଶ କରିବାକୁ ଥିବା ଦର୍ଶକଙ୍କ ପାଇ ନିକୋ ପାର୍କ ରାସ୍ତାରେ ବାଇକ୍, କାର୍ ରଖିବାର ବ୍ୟବସ୍ଥା କରାଯାଇଛି।