ଆଇଏସ୍ଏଲ୍ : ଗୋଆ-ଓଡ଼ିଶା ଏଫ୍ସି ମ୍ୟାଚ୍ ୧-୧ରେ ଅମୀମାଂସିତ

ଭୁବନେଶ୍ବର : କଳିଙ୍ଗରେ ସୋମବାର ଖେଳାଯାଇଥିବା ଚଳିତ ଆଇଏସ୍ଏଲ୍ ମ୍ୟାଚ୍ରେ ଏଫ୍ସି ଗୋଆ ସହ ପଏଣ୍ଟ ବାଣ୍ଟିଛି ଘରୋଇ ଦଳ ଓଡ଼ିଶା ଏଫ୍ସି। ମ୍ୟାଚ୍ ୧-୧ରେ ଅମୀମାଂସିତ ରହିବାରୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଛନ୍ତି। ଏକ ପଏଣ୍ଟ ସହ ଓଡ଼ିଶା ଏଫ୍ସି (୨୪ ପଏଣ୍ଟ୍) ସପ୍ତମ ସ୍ଥାନରେ ରହିଥିଲା ବେଳେ ଏଫ୍ସି ଗୋଆ (୨୭ ପଏଣ୍ଟ) ଚତୁର୍ଥକୁ ଉଠିଛି। ଅନ୍ୟପକ୍ଷରେ ଓଡ଼ିଶା ବିପକ୍ଷରେ ଗୋଆର ଅପରାଜେୟ ଧାରା ଜାରି ରହିଲା। ଉଭୟ ଦଳ ୮ ମ୍ୟାଚ୍ ଖେଳିଥିଲା ଗୋଆ ୫ ଜିତି ୩ ଅମୀମାଂସିତ ରଖିଛି।
ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଭାଜକ୍ବେଜଙ୍କ ପାସ୍ରେ ନୋହା ଗୋଲ୍ ଦେଇ ଭ୍ରମଣକାରୀ ଏଫ୍ସି ଗୋଆକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହି ଗୋଲ୍ ବରଣ କରିବା ପରେ ଘରୋଇ ଦଳ ଆକ୍ରମଣ ଆରମ୍ଭ କରିଦେଇଥିଲା। ପୂରା ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ବଲ୍ ରଖିବା ସହ ୪୩ ମିନିଟ୍ରେ ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲା ଓଡ଼ିଶା। ଫାଉଲ୍ ଯୋଗୁଁ ମିଳିଥିବା ଫ୍ରି କିକ୍କୁ ଘରୋଇ ଦଳର ତାରକା ଫୱାର୍ଡ ଡିଏଗୋ ମୌରିସିଓ ସିଧା ଗୋଆର ଗୋଲ୍ ପୋଷ୍ଟ୍ରୁ ଡାହାଣ ପଟକୁ ବଲ୍ ପଠାଇ ଦେଇଥିଲେ। ଏଥିସହ ମୌରିସିଓ ଚଳିତ ସଂସ୍କରଣରେ ୧୦ ଗୋଲ୍ ଦେବା ସହ ଅଗ୍ରଣୀ ସ୍କୋର୍ରେ ଯୁଗ୍ମ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।
ଦ୍ବିତୀୟାର୍ଦ୍ଧର ଆରମ୍ଭରୁ ମଧ୍ୟ ଘରୋଇ ଦଳ ଚମତ୍କାର ଖେଳିଥିଲା। ହେଲେ ୬୬ତମ ମିନିଟ୍ରେ ସାହିଲ ପନୱାର ରେଡ୍ କାର୍ଡ ପାଇ ପଡ଼ିଆ ବାହାରକୁ ଚାଲିଯିବାରୁ ଦଳକୁ ବଡ଼ ଝଟ୍କା ଲାଗିଥିଲା। ଶେଷ ଅଧଘଣ୍ଟା ୧୦ ଜଣଙ୍କୁ ନେଇ ଖେଳିଥିଲା ଓଡ଼ିଶା। ଏହା ଫାଇଦା ନେଇ ଗୋଆ ଘନ ଘନ ଆକ୍ରମଣ କରିଥିଲା। କିନ୍ତୁ ଅମରିନ୍ଦର ସିଂହ ଏବଂ ରକ୍ଷଣଭାଗର ଚମତ୍କାର ପ୍ରଦର୍ଶନ ଯୋଗୁଁ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲା ଗୋଆ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସୌଲ କ୍ରିସ୍ପୋଙ୍କୁ ମିଳିଥିଲା। ଏହି ମ୍ୟାଚ୍ ବେଳେ କଳିଙ୍ଗ ଷ୍ଟାଡିୟମରେ ୪୭୨୯ ଦର୍ଶକ ଉପସ୍ଥିତ ଥିଲେ। ଓଡ଼ିଶା ପରବର୍ତୀ ମ୍ୟାଚ୍ ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍ରେ ଶୁକ୍ରବାର ହାଇଦ୍ରାବାଦ ଏଫ୍ସିକୁ ଭେଟିବ।