ଆଇଏସ୍ଏଲ୍-୨୦୨୨ : ଜାମସେଦପୁର ଏଫ୍ସି ଭେଟିବ ଓଡ଼ିଶା ଏଫ୍ସି
ଭୁବନେଶ୍ବର : ଭୁବନେଶ୍ବରର ଦଳ ଓଡ଼ିଶା ଏଫ୍ସି ମଙ୍ଗଳବାରଠୁ ତା’ର ଆଇଏସ୍ଏଲ୍ ଅଭିଯାନ ଆରମ୍ଭ କରିବ। ଚଳିତ ବର୍ଷର ପ୍ରଥମ ମୁକାବିଲାରେ ଓଡ଼ିଶା ସାମ୍ନାରେ ରହିଛି ଲିଗ୍ ବିଜେତା ତଥା ଗତ ଥରର ସେମିଫାଇନାଲିଷ୍ଟ ଜାମସେଦପୁର ଏଫ୍ସି। ଏହି ମ୍ୟାଚ୍ ଜାମସେଦପୁରସ୍ଥିତ ଜେଆର୍ଡି ଟାଟା ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଖେଳାଯିବ। ଉଭୟ ଦଳ ନିଜ ନିଜ ମଧ୍ୟରେ ୬ ମ୍ୟାଚ୍ ଖେଳିଥିଲା ବେଳେଓଡ଼ିଶା ଏଫ୍ସି ଗୋଟିଏ ଜିତିଥିଲା ବେଳେ ୪ଟି ଜାମସେଦପୁର ଜିତିଛି ଏବଂ ଗୋଟିଏ ଅମୀମାଂସିତ ରହିଥିଲା। ହେଲେ ଗତ ଦୁଇ ମ୍ୟାଚ୍ରେ ଓଡ଼ିଶାକୁ ହରାଇଥିଲା ଜାମସେଦପୁର।
ଗତ ସଂସ୍କରଣରେ ୨୩ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା ଓଡ଼ିଶା। ଚଳିତ ବର୍ଷ ମୁମ୍ବାଇ ସିଟି ଏଫ୍ସିରୁ ପ୍ରତ୍ୟାବର୍ତ୍ତନ କରିଥିବା ଡିଏଗୋ ମୌରିସିଓଙ୍କ ବଳରେ ଓଡ଼ିଶା ଆଗକୁ ବଢ଼ିବା ଲକ୍ଷ୍ୟରେ ରହିଛି। ଏହି ବ୍ରାଜିଲ୍ ଖେଳାଳି ୨୦୨୦-୨୧ ଋତୁରେ ଓଡ଼ିଶା ପାଇଁ ୧୨ ଗୋଲ୍ ସ୍କୋର୍ କରି ଲିଗ୍ରେ ତୃତୀୟ ସର୍ବୋଚ୍ଚ ଗୋଲ୍ ସ୍କୋର୍ର ଥିଲେ। ଖାଲି ମୌରିସିଓ ନୁହେଁ ୨୦୧୯-୨୦୨୦ ଋତୁରେ ଦଳର ପ୍ରଶିକ୍ଷକ ଥିବା ସ୍ପେନ୍ର ଜେସେପ ଗୋମ୍ବାଉ ପୁଣି ଥରେ ଦଳକୁ ଫେରିଛନ୍ତି। ତାଙ୍କ ପ୍ରଶିକ୍ଷଣରେ ଦଳ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। ‘‘ଆସନ୍ତା କାଲି ମ୍ୟାଚ୍ ଆମ ପାଇଁ ଆହ୍ବାନ ଭରା ରହିଛି। ଆମେ ଜାଣିଛୁ ବିପକ୍ଷରେ ଶ୍ରେଷ୍ଠ ଦଳ, ଗତ ବର୍ଷର ଲିଗ୍ ବିଜେତା ରହିଛି। କିନ୍ତୁ କାଲିଠୁ ଆମର ନୂଆ ପ୍ରତିଯୋଗିତା ଆରମ୍ଭ। ନିଜର ଶ୍ରେଷ୍ଠ ଦେବାକୁ ପ୍ରୟାସ କରିବୁ’’ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଗୋମ୍ବାଉ କହିଛନ୍ତି।
ଅନ୍ୟପକ୍ଷରେ ଗତ ସଂସ୍କରଣରେ ଜାମସେଦପୁର ଲିଗ୍ ପର୍ଯ୍ୟାୟରେ ୬୩ ପଏଣ୍ଟ୍ ପାଇ ଟେବୁଲର ଶୀର୍ଷରେ ରହିଥିଲା। ହେଲେ ସେମିଫାଇନାଲ୍ରେ କେରଳ ବ୍ଲାଷ୍ଟର୍ସ ଏଫ୍ସିଠୁ ହାରି ଏହି ଦଳ ବିଦାୟ ନେଇଥିଲା। ହେଲେ ଦଳ ଚଳିତ ବର୍ଷ ନିଜର ଦୁଇ ଗୁରୁତ୍ବପୂର୍ଣ୍ଣ ସଦସ୍ୟଙ୍କୁ ହରାଇଛି। ସେମାନଙ୍କ ମୁଖ୍ୟ ପ୍ରଶିକ୍ଷକ ଓୱେନ କୋୟଲ କୁଇନ୍ସ ପାର୍କର ପ୍ରବନ୍ଧକ ଭାବେ ଯୋଗ ଦେବାରୁ ଦଳ ଛାଡ଼ିଛନ୍ତି। ସେହିପରି ଅଗ୍ରଣୀ ଗୋଲ୍ ସ୍କୋରର୍ ଗ୍ରେଗ୍ ଷ୍ଟିୱାର୍ଟ ମୁମ୍ବାଇ ସିଟି ଏଫ୍ସିରେ ଯୋଗ ଦେଇଛନ୍ତି। କୋୟଲଙ୍କ ସ୍ଥାନରେ ଦଳ ଏଦି ବୁଥରୟଡଙ୍କୁ ନିଯୁକ୍ତି କରିଛି। ତାଙ୍କ ପ୍ରଶିକ୍ଷଣରେ ଦଳ ଅଭ୍ୟାସ ଚଲାଇଛି। ‘‘ଆମର ଅଭ୍ୟାସ ଭଲ ଚାଲିଛି ଏବଂ ଆଘାତ ଜନିତ ସମସ୍ୟା ମଧ୍ୟ ଦେଖାଯାଇନି। ଯାହା ଦଳ ପାଇଁ ଶୁଭଙ୍କର। ସମସ୍ତ ଖେଳାଳି ଖୁସି ଅଛନ୍ତି ଏବଂ ମ୍ୟାଚ୍ ଖେଳିବା ଲାଗି ଉତ୍ସାହ ସହ ଅପେକ୍ଷା କରିଛନ୍ତି’’ ବୋଲି ବୁଥରୟଡ କହିଛନ୍ତି।