ଜଳସେଚନ ପ୍ରକଳ୍ପ ପାଇଁ ମେ ୩୦ ସୁଦ୍ଧା ଜମି ଅଧିଗ୍ରହଣ ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଆଜି ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ବିଭିନ୍ନ ରାଜସ୍ୱ ଡିଭଜନର ରାଜସ୍ୱ କମିଶନର, ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ ରିହାବିଲିଟେସନ ଓ ରିସେଟଲମେଂଟ ନିର୍ଦ୍ଦେଶକ, ବିଭିନ୍ନ ଜିଲ୍ଲାର ଜମି ଅଧିଗ୍ରହଣ ଅଧିକାରୀ ଓ ଜଳସେଚନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭିନ୍ନ ଜମି ଅଧିଗ୍ରହଣ ପ୍ରକଳ୍ପ ପାଇଁ ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗଡ଼, ତେଲେଙ୍ଗିରି, ରେତ ଓ ହାଡୁଆ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଗତ ସମୀକ୍ଷା ବୈଠକ ପରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପରେ ୧୧ ଗ୍ରାମରେ, କାନପୁର ଜଳସେଚନ ପ୍ରକଳ୍ପରେ ୭ ଗ୍ରାମରେ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପରେ ୮ ଗ୍ରାମରେ, ଦେଓ ଜଳସେଚନ ପ୍ରକଳ୍ପରେ ୨ ଗ୍ରାମରେ, ରେଙ୍ଗାଲୀ ବାମ ଓ ଦକ୍ଷିଣ ଜଳସେଚନ ପ୍ରକଳ୍ପରେ ୧୯ ଗ୍ରାମରେ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ ୯ ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ଜଳସେଚନ ବିଭାଗକୁ ଜମି ହସ୍ତାନ୍ତର କରାଯାଇଛି । ସେହିପରି ଗତ ସମୀକ୍ଷା ବୈଠକ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସଂଗେ ସଂଗେ ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଭାବେ ଅଗ୍ରଗତି ହେଇଛି ।
ଜମି ଅଧିଗ୍ରହଣ ବିଳମ୍ବିତ ହେବାରୁ ପ୍ରକଳ୍ପ ସମ୍ପୂର୍ଣ ହେବାପାଇଁ ରାଜ୍ୟ ସରକାରଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ସେଥିପାଇଁ ବିଭିନ୍ନ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପର ବିଭିନ୍ନ ମାଇଲଖୁଣ୍ଟ ସମ୍ପୂର୍ଣ କରିବାକୁ ତାଗିଦ କରାଯାଇଥିଲା । ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ଆବଶ୍ୟକ ସମୟରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜକୁ ଭୂମି ଅଧିଗ୍ରହଣ ପୋର୍ଟାଲ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟର ସମସ୍ତ ଜଳସେଚନ ପ୍ରକଳ୍ପ ପାଇଁ ମେ ମାସ ୩୦ ତାରିଖ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲଏଆରଆରଏମଏସ୍ ପୋର୍ଟାଲ ସଂଗେ ୍ରଆଇଏଫଏମଏସ୍ ପୋର୍ଟାଲକୁ ସଂଯୋଗୀକରଣ କରି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ଜମି ମାଲିକଙ୍କୁ ଜମିର ନ୍ୟାୟୋଚିତ ପ୍ରାପ୍ୟ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଂଯୋଗୀକରଣ ପାଇଁ ସେ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ଓ ଏନଆଇସିର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ରାଜସ୍ୱ ଡିଭିଜନର ଆଯୁକ୍ତମାନଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉଭୟ ଜଳସେଚନ ଅଧିକାରୀ ଓ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିଜ ଭିତରେ ସମନ୍ୱୟ ରକ୍ଷା କରି ରାଜ୍ୟ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରି ଜଳସେଚନ ପ୍ରକଳ୍ପ ର୍ନିମାଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି ।