ଆଇପିଏଲ-୨୦୨୩ : ଆଜି ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା
ଅହମ୍ମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୫ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟା ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ପାଇଁ ଆଜିର ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଶେଷ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଠାରୁ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଗୁଜରାଟ ଟାଇଟନ୍ସ ମୋଟ୍ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ଲାଭ କରିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ସୁଧା ୬ଟି ମ୍ୟାଚ୍ ଖେଳି ୩ଟିରେ ଜିତିଛି।
ଶକ୍ତିଶାଳୀ ଟାଇଟନ୍ସକୁ ଭେଟିବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ମାତ୍ର ବୁମରାଙ୍କ ଅନୁପସ୍ଥିତିରେ ଦଳର ବୋଲିଂ ଦୁର୍ବଳ ରହିଛି । ପୂର୍ବ ମ୍ୟାଚରେ କେବଳ ପିୟୂଷ ଚାୱଲାଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବୋଲର ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ସୀମିତ ବୋଲିଂ ସମ୍ବଳକୁ ସଠିକ ଭାବେ ଉପଯୋଗ କରିବାକୁ ଅଧିନାୟକ ରୋହିତ ଶର୍ମା ରଣନୀତି ପ୍ରସ୍ତୁତ କରିବେ । ଟାଇଟନ୍ସ ଦଳର ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ରସିଦ ଖାନ, ମହମ୍ମଦ ସାମି, ମୋହିତ ଶର୍ମା, ଅଲଜାରୀ ଜୋଶେଫ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଗଠିତ ବୋଲିଂ ବିଭାଗ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ ।
ଉଭୟ ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ । ସୂର୍ଯ୍ୟକୁମାର ଯାଦବ ଗତ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାରେ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । କାମେରନ ଗ୍ରୀନ, ଟିମ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଛନ୍ତି । ଟାଇଟନ୍ସ ଦଳରେ ଏକାଧିକ ମ୍ୟାଚ୍ ବିଜେତା ରହିଛନ୍ତି । ବିଶେଷ କରି ନିମ୍ନ କ୍ରମ ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । ଡେଭିଡ୍ ମିଲର, ରାହୁଲ ତେୱାତିଆ ଓ ରସିଦ ଖାନ ଅନ୍ତିମ ଭାଗରେ ବିଧ୍ୱଂସୀ ବ୍ୟାଟିଂ କରି ବିଜୟ ଛଡ଼ାଇ ଆଣିବାର କ୍ଷମତା ରଖିଛନ୍ତି । ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।