ଆଇପିଏଲ-୨୦୨୩ : ଅରେଞ୍ଜ କ୍ୟାପ୍ ରେସ୍ରେ ଶିଖର ଧାଓ୍ୱନ ଓ ପର୍ପଲ କ୍ୟାପ୍ ରେସ୍ରେ ମାର୍କ ଉଡ୍
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ ଜାରି ରହିଛି । ଆଇପିଏଲରେ ସର୍ବାଧିକ ରନ୍ କରିଥିବା ବ୍ୟାଟରଙ୍କୁ ଅରେଞ୍ଜ କ୍ୟାପ୍ ଏବଂ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ମିଳେ ପର୍ପଲ କ୍ୟାପ୍ । ଏହି ପରିପ୍ରେକ୍ଷୀରେ ଖେଳାଳିଙ୍କ ମଧ୍ୟରେ ଲାଗିଲାଣି ଅରେଞ୍ଜ ଓ ପର୍ପଲ କ୍ୟାପ୍ ରେସ୍ ।
ପଞ୍ଜାବ କିଙ୍ଗସ୍ ଖେଳାଳି ଶିଖର ଧାୱନ ୩ଟି ମ୍ୟାଚ ଖେଳି ୨୨୫ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ଦୌଡରେ ସର୍ବାଗ୍ରେ ଅଛନ୍ତି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ଡେଭିଡ ୱାର୍ଣ୍ଣର ୪ଟି ମ୍ୟାଚରେ ୧୮୯ ରନ୍, ଚେନ୍ନାଇ ସୁପରକିଙ୍ଗ୍ସ ଖେଳାଳି ରୁତୁରାଜ ଗାଇକଓ୍ବାର୍ଡ ୩ଟି ମ୍ୟାଚରେ ୧୭୫ ରନ୍, ରୟାଲ୍ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ଖେଳାଳି ଫାଫ୍ ଡୁ ପ୍ଲେସିସ୍ ୩ଟି ମ୍ୟାଚରେ ୧୬୪ ରନ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ଖେଳାଳି ବିରାଟ କୋହଲି ୩ଟି ମ୍ୟାଚରେ ୧୫୮ ରନ କରି ଅରେଞ୍ଜ କ୍ୟାପ୍ ରେସରେ ରହିଛନ୍ତି ।
ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସର ବୋଲର ମାର୍କ ଉଡ୍ ୩ଟି ମ୍ୟାଚରେ ୯ଟି ଓ୍ବିକେଟ୍ ନେଇ ପର୍ପଲ କ୍ୟାପ୍ ରେସରେ ଆଗରେ ଅଛନ୍ତି । ରାଜସ୍ଥାନ ରୟାଲ୍ସର ବୋଲର ୟଜୁବେନ୍ଦ୍ର ଚହଲ ୩ଟି ମ୍ୟାଚରେ ୮ଟି ଓ୍ବିକେଟ୍, ଗୁଜୁରାଟ ଟାଇଟନ୍ସର ବୋଲର ରସିଦ ଖାନ୍ ୩ଟି ମ୍ୟାଚରେ ୮ ଓ୍ବିକେଟ, ଲକ୍ଷ୍ନୌ ସୁପର ଜାଏଣ୍ଟସର ବୋଲର ରବି ବିଷ୍ଣୋଇ ୪ଟି ମ୍ୟାଚରେ ୬ଟି ଓ୍ବିକେଟ ଏବଂ କୋଲକତା ନାଇଟ୍ ରାଇଡର୍ସର ବୋଲର ସୁନୀଲ ନାରିନ ୩ଟି ମ୍ୟାଚରେ ୬ଟି ଓ୍ବିକେଟ ନେଇ ଏହି ରେସର ରହିଛନ୍ତି ।
ସୂଚନା ଯେ, ଆଇପିଏଲର ଫାଇନାଲ୍ ମ୍ୟାଚ ପରେ ଏହି ରେସର ଆଗରେ ଥିବା ଖେଳାଳୀଙ୍କୁ ପର୍ପଲ୍ ଏବଂ ଅରେଞ୍ଜ କ୍ୟାପ୍ ବିଜେତା ଘୋଷିତ କରାଯିବା ସହ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥାଏ । ତେବେ ଆଇପିଏଲ୍ ଇତିହାସରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ହେଉଛନ୍ତି ଏକମାତ୍ର ଖେଳାଳି ଯିଏ କି ୩ଥର ଅରେଞ୍ଜ କ୍ୟାପ ଜିତି ସାରିଛନ୍ତି ।