ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ମୁମ୍ବାଇ-ଗୁଜରାଟ, ହେବ ଫ୍ଲେ-ଅଫ୍ ରେସ୍ ଲଢେଇ
ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ରେ ଆଜି ଖେଳାଯିବ ଏକ ଦମଦାର ମ୍ୟାଚ୍ । ଓ୍ବାଙ୍ଖେଡେରେ ମୁହାଁମୁହିଁ ହେବେ ୫ଥର ଚାମ୍ପିଆନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଆନ୍ ଗୁଜରାଟ ଟାଇଟନ୍ସ । ନିଜ ଗଡ଼ରେ ବିଜୟ ଧ୍ବଜା ଉଡ଼ାଇବାକୁ ଚେଷ୍ଟା କରିବ ମୁମ୍ବାଇ । ଆଜିର ମ୍ୟାଚ ଜିତି ଘରୋଇ ଦଳ ଫ୍ଲେ-ଅପ୍ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଟାଇଟନ୍ସ ମଧ୍ୟ ଫ୍ଲେ-ଅପ୍ କ୍ବାଲିଫାୟାର ପାଇଁ ଆଜିର ମ୍ୟାଚ୍ ଖେଳିବ । ବିଜୟ ସହ କ୍ବାଲିଫାଏ କରିବାକୁ ଦଳ ପ୍ରୟାସ କରିବ । ଦଳ ୧୧ଟି ମ୍ୟାଚ୍ରୁ ୧୬ ପଏଣ୍ଟ ହାସଲ କରିଛନ୍ତି । ପ୍ଲେ-ଅଫ୍ ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ଟାଇଟନ୍ସ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହି ଅଭିଯାନ ଶେଷ କରିପାରିବ । ଅର୍ଥାତ୍ ଜିତିବା ପରେ ଟାଇଟନ୍ସ ଶେଷ ୨ଟି ଲିଗ୍ ମ୍ୟାଚ୍ରେ ପରାଜିତ ହେଲେ ମଧ୍ୟ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିପାରିବ । ଏହି ମ୍ୟାଚରେ ଟସ ଜିତି ଗୁଜୁରାଟ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ ।
ଗତ ୨୫ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ । ଘରୋଇ ଗ୍ରାଉଣ୍ଡ୍ରେ ଟାଇଟନ୍ସ ୫୫ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ଏଥର ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଦଳର ଭାଗ୍ୟ ମୁଖ୍ୟତଃ ଟସ୍ ଉପରେ ନିର୍ଭର କରିବ । ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହୋଇଯିବ । ମୁମ୍ବାଇର ବୋଲିଂ ବିଭାଗ ମଧ୍ୟ ଦୁର୍ବଳ ରହିଛି । ତେଣୁ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ସହ ମୁମ୍ବାଇ ଇଣ୍ଡିଆନ୍ସ ବିଶାଳ ଲକ୍ଷ୍ୟର ପିଛା କରି ବିଜୟୀ ହେବାର କ୍ଷମତା ରଖିଛି । ଚଳିତ ସିଜନରେ ଦଳ ୩ଥର ୨୦୦ରୁ ଊଦ୍ଧ୍ୱର୍ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବିଜୟ ବାନା ଉଡ଼ାଇଛି ।
ଟାଇଟନ୍ସ ଦଳର ଅଲ୍ରାଉଣ୍ଡ ପ୍ରଦର୍ଶନ ଜାରି ରହିଛି । ବ୍ୟାଟିଂ ଓ ବୋଲିଂ ସମେତ ଫିଲ୍ଡିଂ ଓ ଚତୁର ରଣକୌଶଳ ପ୍ରସ୍ତୁତ କରିବାରେ ଟାଇଟନ୍ସ ସିଦ୍ଧହସ୍ତ ସାବ୍ୟସ୍ତ ହୋଇଛି । ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ଟାଇଟନ୍ସର ରଣନୀତି ପ୍ରତି ମଧ୍ୟ ସତର୍କ ରହିବାକୁ ପଡ଼ିବ । ପ୍ରତିଭାବାନ ମଧ୍ୟ କ୍ରମ ବ୍ୟାଟର ତିଳକ ବର୍ମା ଆହତ ସମସ୍ୟା ଯୋଗୁ ଶେଷ ୨ଟି ମ୍ୟାଚ୍ ଖେଳିପାରି ନଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ଓ ମ୍ୟାଚ୍ ଖେଳିବା ସମ୍ଭାବନା ରହିଛି । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତିଳକଙ୍କ ସ୍ଥାନରେ ଖେଳୁଥିବା ନେହାଲ ୱଧେରା ୨ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ତେଣୁ ନେହାଲଙ୍କୁ ଏକାଦଶରେ ରଖି ତିଳକଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟବହାର କରିବ । ଟାଇଟନ୍ସ ବୋଲରଙ୍କୁ ସାମ୍ନା କରିବା ପାଇଁ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟରଙ୍କୁ ସ୍ୱତନ୍ତ୍ର ରଣନୀତି ସହ ଓହ୍ଲାଇବାକୁ ପଡ଼ିବ । ମହମ୍ମଦ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ରସିଦ ଖାନ ଘାତକ ବୋଲିଂ ଜାରି ରଖିଛନ୍ତି ।