ଆଇପିଏଲ-୨୦୨୩ : କୋଲକାତାକୁ ୫ ୱିକେଟ୍ରେ ହରାଇଲା ମୁମ୍ବାଇ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ରେ ରବିବାର ୨୨ ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଥିଲେ । ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଶାନ କିଶନ ଓ ସୂର୍ଯ୍ୟ କୁମାରଙ୍କ ଜବରଦସ୍ତ ବ୍ୟାଟିଂ ବଳରେ କୋଲକାତାକୁ ୫ ୱିକେଟ୍ରେ ହରାଇଲା ମୁମ୍ବାଇ । କେକେଆର୍ ପ୍ରଥମେ ବ୍ୟାଟିଂ କରି ୧୮୫ ରନ୍ କରିଥିବା ବେଳେ ଜବାବରେ ମୁମ୍ବାଇ ୧୭. ୪ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନର ଲକ୍ଷ୍ୟ ହାସଲ କରିନେଇଛି।
ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ମୁମ୍ବାଇ କେକେଆର୍କୁ ଘବରେଇ ଦେଇଛି। ଘାତକ ବୋଲିଂ ବଳରେ କେକେଆର୍ ଅଧିକାଂଶ ବ୍ୟାଟର ୨୦ ରନ୍ ବି ପୂରା କରିପାରି ନଥିଲେ। କେବଳ ଭେଙ୍କେଟେଶ ଆୟରଙ୍କ ବ୍ୟାଟ୍ରେ ଲଗାମ ଲଗାଇବାରେ ବିଫଳ ହୋଇଥିଲେ ମୁମ୍ବାଇ ବୋଲର। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କେକେଆର୍ ୧.୫ ଓଭରରେ ଏନ୍ ଜଗଦୀଶାନ(୦)ଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ ୫.୩ ଓଭରରେ ରହମନୁଲ୍ଲାହ ଗରବାଜ(୮), ୮.୧ ଓଭରରେ ନୀତୀଶ ରାଣା(୫), ୧୨.୫ ଓଭରରେ ଶାର୍ଦୁଲ ଠାକୁର(୧୩),୧୭.୨ ଭେଙ୍କେଟେଶ ଆୟର(୧୦୪),୧୮.୫ ଓଭରରେ ରିଙ୍କୁ ସିଂହ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲେ ଆଣ୍ଡ୍ରିୟୁ ରସେଲ ଓ ସୁନୀଲ ନାରିନ। ରସେଲ ଦ୍ରୁତ ବ୍ୟାଟିଂ କରି ୧୧ ବଲ୍ରେ ୨୧ ରନ୍ କରିଥିବା ବେଳେ ନାରିନ୍ ୨ ବଲ୍ରେ ୨ ରନ୍ କରି ନଟ୍ଆଉଟ୍ ରହିଥିଲେ। ଦଳ ପକ୍ଷରୁ କ୍ୟାମରନ ଗ୍ରୀନ, ଡୁନଆ ଜନସେନ, ପିୟୁଷ ଚାୱଲା ଓ ରିଲେ ମେରେଡିଥ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। କେବଳ ହ୍ରିତିକ ଶୋକୀନ ୨ ୱିକେଟ୍ ନେବାରେ ସଫଳ ହୋଇଥିଲେ ବି ସଚିନ ତେନ୍ଦୁଲକଙ୍କର ପୁଅ ଅର୍ଜୁନଙ୍କୁ ଗୋଟିଏ ବି ସଫଳତା ମିଳିନାହିଁ।
୧୮୬ ରନ୍ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏକାଧିକ ମ୍ୟାଚ୍ରେ ଫ୍ଲପ୍ ହୋଇଥିବା ଇଶାନ କିଶନ ଏଥର ଜବରଦସ୍ତ ବ୍ୟାଟିଂ କରିଥିଲେ। ଇଶାନ କିଶନ ୨୫ ବଲ୍ରେ ୫୮ ରନ୍ କରିଥିଲେ। ୪.୫ ଓଭରରେ ଦଳରେ ପ୍ରଥମେ ରୋହିତ ଶର୍ମାଙ୍କ ୱିକେଟ୍ ଯାଇଥିଲା। ସେ ୧୩ ବଲ୍ରେ ୨୦ ରନ୍ କରି ସୂୟଶ ଶର୍ମା ବଲ୍ରେ ଉମେଶ ଯାଦବଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ଏହାପରେ ୭.୩ ଓଭରରେ ବରୁଣ ଚକ୍ରବର୍ତ୍ତୀ ଇଶାନ କିଶାନଙ୍କୁ ବୋଲ୍ଡ କରିଥିଲେ। ଦଳ ୪ ଓବର ପୂର୍ବରୁ ୬୦ ରନ୍ କରିଦେଇଥିଲା। ଇଶାନ ଓ ରୋହିତଙ୍କ ପରେ ବ୍ୟାଟିଂ ଆସିଥିବା ସୂର୍ଯ୍ୟ କୁମାର ଯାଦବ ଓ ତିଲକ ବର୍ମା ମଧ୍ୟ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଉଭୟ ଛକ୍କା ଚୌକା ମାଡ଼ କରି ଦଳ ରନ୍ ଗତିକୁ ବଢ଼ାଇଥିଲେ। ହେଲେ ସୂୟସ କୁମାରଙ୍କର ଚମତ୍କାର ଅଫ୍ସୀନକୁ ବୁଝି ନପାରି ୧୩.୫ ବଲ୍ରେ ବୋଲ୍ଡ ହୋଇଥିଲେ ତିଲକ ବର୍ମା। ସେ ୨୫ ବଲ୍ ଖେଳି ୩୦ ରନ୍ କରିଥିଲେ। ୧୩.୫ ଓଭରରେ ଦଳର ତୃତୀୟ ୱିକେଟ୍ ଖସିଥିଲା। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଡାଭିଡ୍ ସୂର୍ଯ୍ୟକୁମାରଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ନେଇଥିଲେ। ପୁଣି ୧୬.୩ ଓଭର ବେଳକୁ ସୂର୍ଯ୍ୟ କୁମାର ଯାଦବ(୨୫ ବଲ୍ ୪୩ ରନ୍) ଆଉଟ୍ ହୋଇଥିଲେ। ମ୍ୟାଚ୍ ଜିତିବାକୁ ୨୦ ବଲ୍ରେ ୧୦ ରନ୍ ଆବଶ୍ୟକ ଥିବା ବେଳେ ବ୍ୟାଟିଂ ପାଇଁ ଆସିଥିଲେ ନିହାଲ ୱାଧେରା(୬)। ହେଲେ ୧୭.୧ ଓଭରରେ ଲକି ଭର୍ଗୁସନଙ୍କ ବଲ୍ରେ ଆଉଟ ହୋଇଥିଲେ। ଶେଷ ବେଳକୁ କ୍ୟାମରନ ଗ୍ରୀନଙ୍କ ସହଯୋଗରେ ଟିମ୍ ଡାଭିଡ୍ ଟିମ୍କୁ ମ୍ୟାଚ୍ ଜିତାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ୧୭.୪ ଓଭରରେ ୫ ୱିକେଟ୍ ହରାଇ ୧୮୬ ରନ୍ର ଟାର୍ଗେଟ ପୂରା କରିନେଇଥିଲା। ଆଜିର ମ୍ୟାଚ୍ରେ ଖରାପ ବୋଲିଂ ପ୍ରଦର୍ଶନ କରିଥିଲା କୋଲକାତା ନାଇଟ ରାଇଡର୍ସ ବୋଲର। ମୁମ୍ବାଇ ଧୂଆଁଦାର ବ୍ୟାଟରଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ ବଡ଼ ବଡ଼ ବୋଲର। ଦଳ ପକ୍ଷରୁ ସ୍ପିନର ସୂୟଶ କୁମାର ଚମକ୍ତାର ବୋଲିଂ ୨ଟି ୱେକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଶାର୍ଦୁଲ ଠାକୁର ଓ ଲକି ଫର୍ଗୁସନ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ହେଲେ ଉମେଶ ଯାଦବ, ଆଣ୍ଡ୍ର୍ୟୁ ରସେଲ, ସୁନିଲ ନାରିନଙ୍କ ଭଳି ବରିଷ୍ଠ ବୋଲର ୱିକେଟ୍ ନେବାରେ ବିଫଳ ହୋଇଥିଲେ।