ଆଇପିଏଲ-୨୦୨୩ : ଆଜି ଲକ୍ଷ୍ନୌ-ବାଙ୍ଗାଲୋର ମୁକାବିଲା, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ କୋହଲି ଆଣ୍ଡ କୋ
ଲକ୍ଷ୍ନୌ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୪୩ତମ ଲିଗ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସୋମବାର ଘରୋଇ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବାରୁ ସୁପର ଜାଏଣ୍ଟନ ସହଜ ବିଜୟ ଲକ୍ଷ୍ୟ ରଖିଛି । ଗତ ଏପ୍ରିଲ୍ ୧୦ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଶେଷ ବଲ୍ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା । ସେପଟେ ରୟାଲ୍ ଚ୍ୟାଲେଞ୍ଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ତେଣୁ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।
ଚଳିତ ସିଜନର ପ୍ରଥମ ଭେଟରେ ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ରୟାଲ୍ ଚ୍ୟାଲେଞ୍ଜର୍ସକୁ ସୁପରଜାଏଣ୍ଟ୍ସ ୧ ୱିକେଟରେ ହରାଇଥିଲା । ଉକ୍ତ ମ୍ୟାଚ୍ରେ ବିରାଟ କୋହଲି, ଫାଫ୍ ଡୁ’ପ୍ଲେସି ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ୨/୨୧୨ରନ୍ କରିଥିଲା । ଜବାବରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ସୁପର ଜାଏଣ୍ଟ୍ସ ଶେଷ ବଲ୍ରେ ବିଜୟୀ ହୋଇଥିଲା । ମାର୍କସ ଷ୍ଟଇନିସ୍, ନିକୋଲାସ ପୂରନଙ୍କ ବିସ୍ଫୋରଣ, ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସୁପର ଜାଏଣ୍ଟ୍ସ ୮ଟି ମ୍ୟାଚ୍ ଖେଳି ୫ ବିଜୟ ସହ ମୋଟ ୧୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ପୂର୍ବ ମ୍ୟାଚ୍ରେ ଦଳ ପଞ୍ଜାବ କିଙ୍ଗ୍ସକୁ ୫୬ରନ୍ରେ ହରାଇଥିଲା । ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି । ଷ୍ଟାର୍ ଅଲରାଉଣ୍ଡର ଷ୍ଟୋନିସ୍ ପୂର୍ବ ମ୍ୟାଚ୍ରେ ଆହତ ହୋଇଥିଲେ । ଏହା ଦଳକୁ ଚିନ୍ତିତ କରିଛି । ଆସନ୍ତାକାଲି ସେ ଦଳରୁ ବାଦ୍ ପଡ଼ିବା ସମ୍ଭାବନା ରହିଛି । ୱେଷ୍ଟଇଣ୍ଡିଜ୍ର ଦୁଇ ବ୍ୟାଟର ପୂରନ ଏବଂ କେଲି ମେୟର୍ସ ଜବରଦସ୍ତ ଫର୍ମରେ ରହିଛନ୍ତି । ଉଭୟ ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି ।
ରୟାଲ୍ ଚ୍ୟାଲେଞ୍ଜର୍ସ ୮ଟି ମ୍ୟାଚ୍ରୁ ୪ଟିରେ ବିଜୟ ସହ ୮ ପଏଣ୍ଟ ପାଇଛି । ଦଳ ତା’ର ପୂର୍ବ ମ୍ୟାଚ୍ରେ ନାଇଟ୍ ରାଇଡର୍ସ ନିକଟରୁ ୨୧ରନ୍ରେ ପରାଜିତ ହୋଇଥିଲା । ୪ ଦିନ ବିଶ୍ରାମ ମିଳିଥିବାରୁ ଦଳୀୟ ଖେଳାଳି ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଆସନ୍ତାକାଲି କୋହଲି, ଡୁ’ପ୍ଲେସି ଓ ମ୍ୟାକ୍ସୱେଲଙ୍କ ବ୍ୟାଟରୁ ଦର୍ଶକ ବଡ଼ ଇନିଂସ୍ ଆଶା ରଖିଛନ୍ତି । ସମ୍ପୂର୍ଣ୍ଣ ଫିଟ୍ ହୋଇ ସାରିଥିବା ପ୍ରମୁଖ ପେସ୍ ବୋଲର ଜୋସ୍ ହାଜେଲଉଡ୍ ଆହତ ଡେଭିଡ୍ ୱିଲିଙ୍କ ସ୍ଥାନରେ ଖେଳିପାରନ୍ତି ।