ଆଇପିଏଲ-୨୦୨୩ : କୋଲକାତାକୁ ୨୦୫ ରନର ବିଜୟ ଲକ୍ଷ୍ୟ ଦେଲା ଗୁଜରାଟ
ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ରବିବାର ୧୩ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ବିଶ୍ଵର ସର୍ବବୃହତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଏହି ମ୍ୟାଚ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ସାଇ ସୁଦର୍ଶନ ଏବଂ ବିଜୟ ଶଙ୍କରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୪ ଓ୍ଵିକେଟ୍ ହରାଇ ୨୦୪ ରନ କରିଛି। କୋଲକାତା ସମ୍ମୁଖରେ ରହିଛି ୨୦୫ ରନର ବିଶାଳ ବିଜୟ ଳକ୍ଷ୍ୟ। ବିଜୟ ଶଙ୍କର ୬୩ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ସାଇ ସୁଦର୍ଶନ ୫୩ ରନ କରିଛନ୍ତି। ଉଭୟଙ୍କ ବ୍ୟତୀତ ଶୁଭମନ ଗିଲ୍ ୩୯ ରନ କରିଛନ୍ତି।
ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୪ରନ କରିଥିଲା । ଦଳ ପକ୍ଷରୁ ବିଜୟ ଶଙ୍କର ସର୍ବାଧିକ ୬୩ରନ (ଅପରାଜିତ) କରିଥିବାବେଳେ ସାଇ ସୁଦର୍ଶନ ୫୩ରନ କରିଥିଲେ । ସେହିପରି ଶୁଭମନ ଗିଲ ୩୯ରନ କରିଥିବାବେଳେ ଋଦ୍ଧିମାନ ଶାହା ୧୭ରନ କରିଥିଲେ । ଡେଭିଡ୍ ମିଲର ୨ ରନ କରି ଅପରାଜିତ ରହିଥିଲେ । ବିଜୟ ଶଙ୍କର ମାତ୍ର ୨୪ଟି ବଲରୁ ୬୩ରନର ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ । ନିଜର ଏହି ଇନିଂସରେ ସେ ୫ଟି ଛକା ଓ ୪ଟି ଚୌକା ମାରିଥିଲେ । କୋଲକାତା ପକ୍ଷରୁ ସଫଳ ବୋଲର ଭାବେ ସୁନୀଲ ନାରିନ ୩ଟି ଓ୍ବିକେଟ ଓ ସୁୟାସ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।