ଆଇପିଏଲ-୨୦୨୩ : ମୁମ୍ବାଇକୁ ୬ ଓ୍ଵିକେଟ୍ରେ ହରାଇଲା ଚେନ୍ନାଇ, ପଏଣ୍ଟ ଟେବୁଲରେ ଦ୍ଵିତୀୟକୁ ଉଠିଲା
ଚେନ୍ନାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୪୯ତମ ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନେହଲ ଓ୍ଵଧେରାଙ୍କ ୬୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୯ ରନ କରିଥିଲା। ଜବାବରେ ଚେନ୍ନାଇ ୧୭.୪ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ତରଫରୁ ଡେଭନ କନଓ୍ଵେ ସର୍ବାଧିକ ୪୪ ରନ ଏବଂ ଋତୁରାଜ ଗାଏକଓ୍ଵାଡ ୩୦ ରନ କରିଥିଲେ। ଶିବମ ଦୁବେ ୨୬ ରନ କରି ଅପରାଜିତ ରହିଛନ୍ତି।
ଶନିବାର ଖେଳା ଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ସହଜ ବିଜୟ ହାସଲ କରିଛି। ମହିସା ପାଥିରାନାଙ୍କ ଘାତକ ବୋଲିଂ ପରେ ଡେଭନ କନଓ୍ଵେଙ୍କ ୪୪ ରନ ବଳରେ ଚେନ୍ନାଇ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ଵିକେଟ୍ରେ ହରାଇଛି। ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଥିବା ବେଳେ ମୁମ୍ବାଇ ୧୦ ମ୍ୟାଚ୍ରୁ ପଞ୍ଚମ ପରାଜୟ ଭୋଗିଛି।
ସୂଚନା ଯେ, ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ବୋଲରଙ୍କ ଶାଣିତ ବୋଲିଂ କାରଣରୁ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୯ ରନ କରିଥିଲା। ବିଜୟ ପାଇଁ ଚେନ୍ନାଇ ସମ୍ମୁଖରେ ରହିଛି ୧୪୦ ରନର ସହଜ ବିଜୟ ଲକ୍ଷ୍ୟ ଥିଲା। ମଥିଶା ପାଥିରାନା ମାତ୍ର ୧୫ ରନରେ ୩ ଓ୍ଵିକେଟ୍ ନେଇ ମୁମ୍ବାଇକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲେ । ଦୀପକ ଚହର ଏବଂ ତୁଷାର ଦେଶପାଣ୍ଡେ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ମୁମ୍ବାଇ ପକ୍ଷରୁ ନେହଲ ଓ୍ଵଧେରା ୬୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ମୁମ୍ବାଇ ଏହି ସ୍କୋରରେ ପହଞ୍ଚି ଥିଲା। ସୂର୍ଯ୍ୟକୁମାର ଯାଦବ ୨୬ ରନ ଏବଂ ଟ୍ରିଷ୍ଟନ ଟବ୍ସ ୨୦ ରନ କରିଥିଲେ। ଏହା ପୂର୍ବରୁ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।