ଆଇପିଏଲ୍-୨୦୨୨ : ଆଜି ରାଜସ୍ଥାନ-ଦିଲ୍ଲୀ ମୁକାବିଲା
ମୁମ୍ବାଇ : ଆଇପିଏଲ୍-୨୦୨୨ର ୫୮ତମ ଲିଗ୍ ମୁକାବିଲାରେ ବୁଧବାର ଜବରଦସ୍ତ ଫାଇଟ ଦେଖିବାକୁ ମିଳିବ । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ ଜିତି ରାଜସ୍ଥାନ ବିଜୟ ସହ ପ୍ଲେ-ଅଫ ନିକଟତର ହେବାକୁ ପ୍ରୟାସ କରିବ । ପ୍ରତ୍ୟେକ ଖେଳାଳି ଫିଟ୍ ଓ ଫର୍ମରେ ରହିଥିବାରୁ ଆଜିର ମ୍ୟାଚରେ ରାଜସ୍ଥାନ ଦଳର ପଲା ଭାରି ରହିବ । ସେହିପରି ଦିଲ୍ଲୀ ପୁଣିଥରେ ବିଜୟକୁ ଫେରି ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ଲକ୍ଷ୍ୟ ରଖି ଥିବା ବେଳେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରିଛି ।
ରାଜସ୍ଥାନ ରୟାଲ୍ସ ୧୧ଟି ମ୍ୟାଚ୍ ଖେଳି ୭ ବିଜୟ ସହ ମୋଟ୍ ୧୪ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ରାଜସ୍ଥାନ ଦଳ ତୃତୀୟ ସ୍ଥାନରେ ରହିଛି । ଦଳ ଆଗକୁ ଆଉ ୩ଟି ଲିଗ୍ ମ୍ୟାଚ୍ ଖେଳିବ । ଏଥିରୁ ୨ଟି ମ୍ୟାଚ୍ ଜିତିଲେ ସିଧା ସଳଖ ପ୍ଲେ-ଅଫ୍ରେ ପ୍ରବେଶ କରିବ । ଗୋଟିଏ ବିଜୟ ମଧ୍ୟ ଦଳକୁ ପ୍ଲେ-ଅଫ୍ରେ ପହଞ୍ଚାଇ ପାରିବ । ଶେଷ ୩ଟି ଯାକ ମ୍ୟାଚ୍ ପରାଜିତ ହେଲେ ମଧ୍ୟ ରାଜସ୍ଥାନ ୧୪ ପଏଣ୍ଟ ସହ ପ୍ଲେ-ଅଫ୍ରେ ଚତୁର୍ଥ ଦଳ ଭାବେ ପ୍ରବେଶ କରିପାରିବ । ହେଲେ ଏଥିପାଇଁ ଅନ୍ୟ ଦଳ ଗୁଡ଼ିକୁ ମଧ୍ୟ ପରାଜିତ ହେବାକୁ ପଡ଼ିବ ।
ଅନ୍ୟପକ୍ଷରେ ଦିଲ୍ଲୀ ୨ ଦିନ ତଳେ ଚେନ୍ନାଇ ସୁପରକିଙ୍ଗ୍ସ ଠାରୁ ୯୧ ରନ୍ରେ ପରାଜିତ ହୋଇଥିଲା । ପ୍ଲେ-ଅଫ ସ୍ୱପ୍ନ ସାକାର କରିବାକୁ ହେଲେ ଦଳଗତ ପ୍ରଦର୍ଶନ ଜରୁରି । ପୂର୍ବ ପରାଜୟକୁ ଭୁଲି ଦିଲ୍ଲୀ ବିଜୟ ପାଇଁ ସବୁ ଶକ୍ତି ଖଟାଇବ । ସେହିପରି ଦିଲ୍ଲୀ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ଅର୍ଜନ କରିଛି । ରନ୍ରେଟ୍ ୦.୧୫୦ ରହିଛି । କ୍ୟାପିଟାଲ୍ସ ଦଳ ଶେଷ ୩ଟି ମ୍ୟାଚ୍ରେ ଯଥାକ୍ରମେ ରୟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ଦିଲ୍ଲୀକୁ ୩ଟି ଯାକ ମ୍ୟାଚ ଜିତିବାକୁ ପଡ଼ିବ । କୌଣସି ଗୋଟିଏ ମ୍ୟାଚ ପରାଜିତ ହେଲେ ପ୍ଲେ-ଅଫରେ ପହଞ୍ଚିବା କଷ୍ଟକର ହେବ । ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ବାକି ୨ଟି ଲେଖାଏଁ ମ୍ୟାଚ୍ ପରାଜିତ ହେଲେ ଦିଲ୍ଲୀ ବାକି ୩ଟିରୁ ୨ଟି ମ୍ୟାଚ୍ ଜିତିଲେ ମଧ୍ୟ ପ୍ଲେ-ଅଫ ସମ୍ଭବ ହୋଇପାରିବ ।