ଆଇପିଏଲ ୨୦୨୨ : ଦିଲ୍ଲୀକୁ ୧୭୮ ରନ ଟାର୍ଗେଟ୍ ଦେଲା ମୁମ୍ବାଇ
ମୁମ୍ବାଇ : ଆଇପିଏଲ ୨୦୨୨ର ଦ୍ଵିତୀୟ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୭ ରନ କରିଛି। ଦିଲ୍ଲୀ ସମ୍ମୁଖରେ ରହିଛି ୧୭୮ ରନର ବିଜୟ ଲକ୍ଷ୍ୟ। ଇଶାନ କିଷନ ୮୧ ରନର ଦମଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୪୧ ରନ କରିଛନ୍ତି। ତିଳକ ବର୍ମା ୨୨ ରନ କରିଛନ୍ତି। ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୧୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଖଲିଲ ଅହମ୍ମଦଙ୍କୁ ମଧ୍ୟ ୨ଟି ଓ୍ଵିକେଟ୍ ମିଳିଛି।
ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ଦମଦାର ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ୮.୨ ଓଭରରେ ଓପନିଂ ଯୋଡି ୬୭ ରନ ଯୋଡିଥିଲେ। ରୋହିତ ଶର୍ମା ୩୨ ବଲ୍ରୁ ୪ ଚୌକା ଏବଂ ୨ ଛକା ସହ ୪୧ ରନ କରି ଆଉଟ୍ ହୋଇଥିଲେ। ପରେ ଅନମୋଲପ୍ରୀତ ସିଂହ(୮) ଶୀଘ୍ର ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଷନ ଏବଂ ତିଳକ ବର୍ମା ଦ୍ରୁତ ବ୍ୟାଟିଂ କରି ମୁମ୍ବାଇ ସ୍କୋରକୁ ୧୧୭ ରନରେ ପହଞ୍ଚାଇଥିଲେ। ବର୍ମା ୨୨ ରନରେ ବିଦାୟ ନେଇଥିଲେ।
କିରଣ ପୋଲାର୍ଡ(୩) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅନ୍ୟପଟେ ଇଶାନ କିଷନ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦଳର ସ୍ଥିତି ମଜବୁତ କରିଥିଲେ। ସେ ଆଇପିଏଲରେ ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ। କିଷନ ୪୮ ବଲ୍ରୁ ୧୧ ଚୌକା ଏବଂ ୨ ଛକା ସହ ୮୧ ରନରେ ଅପରାଜିତ ଥିଲେ। ଡାନିଏଲ ସାମ୍ସ ୭ ରନରେ ଅପରାଜିତ ଥିଲେ। କିଷନଙ୍କ ବ୍ୟାଟିଂ ବଳରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୧୭୭ ରନ କରିଛି।