ଆଇପିଏଲ-୨୦୨୨ : ୧୨ ରନରେ ଦମଦାର ବିଜୟ ହାସଲ କଲା ଲକ୍ଷ୍ନୌ, ହାଇଦ୍ରାବାଦର କ୍ରମାଗତ ଦ୍ଵିତୀୟ ପରାଜୟ
ପୁଣେ : ଆଇପିଏଲ-୨୦୨୨ରେ ସୋମବାର ୧୨ତମ ଲିଗ୍ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁହାଁମୁହିଁ ହୋଇଥିଲେ । ଅଭେଶ ଖାନଙ୍କ ଶାଣିତ ବୋଲିଂ ବଳରେ ଲକ୍ଷ୍ନୌ ହାଇଦ୍ରାବାଦକୁ ୧୨ ରନରେ ପରାସ୍ତ କରିଛି। ଏଥିସହ ଲକ୍ଷ୍ନୌ ତୃତୀୟ ମ୍ୟାଚ୍ରୁ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି।
ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୯ ରନ କରିଥିଲା । ଲକ୍ଷ୍ନୌ ଆରମ୍ଭରୁ ଶସ୍ତାରେ କ୍ବିଣ୍ଟନ ଡିକକ୍, ଏଭିନ ଲୁଇସ ଓ ମନୀଷ ପାଣ୍ଡେଙ୍କ ଓ୍ବିକେଟ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଅଧିନାୟକ କେ.ଏଲ.ରାହୁଲ ଲଢୁଆ ବ୍ୟାଟିଂ କରି ସର୍ବାଧିକ ୬୮ ରନ କରିଥିଲେ । ଦୀପକ ହୁଦାଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଦଳର ରନଗତି ପୁଣି ଧାମା ହୋଇଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ଟି.ନଟରାଜନ,ଓ୍ବାସିଂଟନ ସୁନ୍ଦର ଓ ରୋମାରିଓ ସେଫାର୍ଡ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଲକ୍ଷ୍ମୌ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି । ମାତ୍ର ହାଇଦ୍ରାବାଦ ଗୋଟିଏ ମ୍ୟାଚ ଖେଳି ପରାଜିତ ହୋଇଛି ।
୧୭୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ସନରାଇଜର୍ସ ହାଇଦ୍ରାବାଦ ଦଳୀୟ ସ୍କୋର ୨୫ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। କେନ ଓ୍ଵିଲିୟମସନ (୧୬) ଆଉଟ୍ ହୋଇଥିଲେ। ପୁଣି ଅଭିଷେକ ଶର୍ମା(୧୩) ପାଭିଲିୟନ ଫେରିଥିଲେ। ଉଭୟଙ୍କୁ ଅଭେଶ ଖାନ ଆଉଟ୍ କରିଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଏବଂ ଆଡନ ମାରକ୍ରମ ଇନିଂସକୁ କିଛି ସମୟ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ୪୪ ରନ ଭାଗିଦାରୀ ହୋଇଥିଲା। ତେବେ ମାରକ୍ରମ (୧୨) ଆଉଟ୍ ହୋଇଥିଲେ। ଇନିଂସ ସମ୍ଭାଳିଥିବା ରାହୁଲ ଆଉଟ୍ ହେବା ହାଇଦ୍ରାବାଦକୁ ବଡ ଝଟକା ଲାଗିଥିଲା। ତ୍ରିପାଠୀ ୩୦ ବଲ୍ରୁ ୫ ଚୌକା ଏବଂ ୧ ଛକା ସହ ୪୪ ରନ କରିଥିଲେ। ଏହା ପରେ ନିକୋଲାସ ପୁରନ ଭଲ ବ୍ୟାଟିଂ କରିଥିଲେ। ସେ ୨୪ ବଲ୍ରୁ ୩ ଚୌକା ଓ ୨ ଛକା ସହ ୩୪ ରନ କରିଥଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ଓ୍ଵାଶିଂଟନ ସୁନ୍ଦର ୧୮ ରନ କରି ଆଉଟ୍ ହେବା ପରେ ହାଇଦ୍ରାବାଦ ବିଜୟରୁ ଦୂରେଇ ଯାଇଥିଲା। ନିର୍ଦ୍ଧାରିତ ଓଭରରେ ଦଳ ୯ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା।