ଆଇପିଏଲ୍-୨୦୨୨ : ରାଜସ୍ଥାନକୁ ୭ ଓ୍ଵିକେଟରେ ହରାଇଲା କୋଲକାତା

ମୁମ୍ବାଇ : କ୍ରମାଗତ ପଞ୍ଚମ ପରାଜୟ ପରେ ଶେଷରେ ପରାଜୟ ଧାରା ଭାଙ୍ଗିଛି କୋଲକାତା ନାଇଟ୍ ରାଇଡର୍ସ। ବୋଲରଙ୍କ ମାପଚୁପ ବୋଲିଂ ଏବଂ ବ୍ୟାଟସମ୍ୟାନ ଉପଯୋଗୀ ଇନିଂସ ବଳରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟରେ ହରାଇଛି। ଚଳିତ ଆଇପିଏଲର ୪୭ତମ ମୁକାବିଲାରେ ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ଉଜ୍ଜିବୀତ ରଖିଛି। ଦଶମ ମ୍ୟାଚରୁ କେକେଆର ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ କ୍ରମାଗତ ଦ୍ଵିତୀୟ ପରାଜୟ ହାସଲ କରିଛି।
ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ସଞ୍ଜୁ ସାମସନଙ୍କ ୫୪ ରନ ଏବଂ ହେଟମାୟର ଦ୍ରୁତ ୨୭ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିଲା। କୋଲାକାତା ଲଗାତର ୫ଟି ମ୍ୟାଚ୍ ହାରିଥିଲେ ମଧ୍ୟ ଆଜି ମୁମ୍ବାଇର ୱାଙ୍ଖଡେରେ ଭଲ ଷ୍ଟାର୍ଟ କରିଥିଲା। ୩ୟ ଓଭର୍ରେ ହିଁ ଉମେଶ ଯାଦବ ମାତ୍ର ୨ ରନ୍ କରିଥିବା ଦେବଦତ୍ତ ପାଡିକ୍କଲଙ୍କୁ ଆଉଟ କରିଥିଲେ। ଇନଫର୍ମ ଜୋଶ ବଟଲର ଓ ସାମସନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ପାରି ନଥିଲେ। ବଟଲର ୨୨ ରନ୍ କରିଥିବା ବେଳେ ତାଙ୍କୁ ଟିମ୍ ସାଉଦି ବାଉଣ୍ଡରୀ ପାଖରେ ଆଉଟ କରି ରାଜସ୍ଥାନକୁ ସବୁ ଠାରୁ ବଡ଼ ଝଟକା ଦେଇଥିଲେ। କରୁଣ ନାଏର ୧୩ ଓ ରିୟାନ ପରାଗ ୧୯ ବେଶୀ କିଛି ପାରି ନଥିଲେ। ନାଏରଙ୍କୁ ଅଙ୍କୁଲ ରୟ ଓ ପରାଗଙ୍କୁ ସାଉଦି ପ୍ୟାଭିଲିୟନ ପଠାଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସାମସନ ଦମଦାର ବ୍ୟାଟିଂ କରି ଚାଲିଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୪ ରନ୍ କରିଥିଲେ ମଧ୍ୟ ୪୯ ବଲର ସମ୍ମୁଖୀନ ହୋଇଛନ୍ତି। ଦଳୀୟ ସ୍କୋର ୧୧୫ ଥିବା ବେଳେ ଶିବମ ମାଭିଙ୍କ ବଲରେ ବଡ଼ ଶଟ ଖେଳିବା ଲୋଭରେ ସାମସନ ଆଉଟ ହୋଇଥିଲେ। ଏହି ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଶେଷ ଭାଗରେ ଶିମରନ ହେଟମେୟର ୧୩ ବଲରେ ଅପରାଜିତ ୨୭ ଓ ରବି ଅଶ୍ୱିନ ୫ ବଲରେ ୬ ରନ୍ କରିବାରୁ ରାଜସ୍ଥାନ ୧୫୨ରେ ପହଞ୍ଚିବାକୁ ସକ୍ଷମ ହୋଇଛି। ହେଟମେୟର ତାଙ୍କ ଇନିଂସରେ ଗୋଟିଏ ଚୌକା ଓ ୨ଟି ଛକା ମାରିଛନ୍ତି। କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ, ଅଙ୍କୁଲ ରୟ ଓ ମାଭି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। କୋଲକାତା ପାଇଁ ଆଜିର ମ୍ୟାଚ୍ କର ବା ମର ସଦୃଶ। କାରଣ ଆଜି ମ୍ୟାଚ୍ ହାରିଲେ କୋଲକାତାର ପ୍ଲେ ଅଫର ଆଶା ଏକ ପ୍ରକାରର ମଉଳି ଯିବ। କୋଲକାତାର ଆନ୍ଦ୍ରେ ରସେଲ ମଧ୍ୟ ସମାନ କଥା କହିଛନ୍ତି। ଟୁର୍ଣ୍ଣାମେଣ୍ଟର ବାକି ୫ଟି ଯାକ ମ୍ୟାଚ୍ ତାଙ୍କ ଦଳ ପାଇଁ ଫାଇନାଲ ସଦୃଶ ବୋଲି ରସେଲ ମ୍ୟାଚ୍ ପୂର୍ବରୁ କହିସାରିଛନ୍ତି।
ଜବାବରେ କୋଲକାତା ନୀତୀଶ ରାଣାଙ୍କ ଅପରାଜିତ ୪୮ ଏବଂ ରିଙ୍କୁ ସିଂହଙ୍କ ଅପରାଜିତ ୪୨ ରନ ବଳରେ ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଅଧିନାୟକ ଶ୍ରେୟସ ଆୟର ୩୪ ରନ କରିଛନ୍ତି। ୧୫୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ୧୬ ରନ ସ୍କୋରରେ ଆରୋନ ଫିଞ୍ଚ(୪)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ବାବା ଇନ୍ଦ୍ରଜିତ ୧୫ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଶ୍ରେସୟ ଆୟର ଧୈର୍ଯ୍ୟର ସହ ବ୍ୟାଟିଂ କରି ୩୪ ରନ କରିଥିଲେ। ସେ ନୀତିଶ ରାଣାଙ୍କ ସହ ତୃତୀୟ ଓ୍ଵିକେଟରେ ୬୦ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ପରେ ନୀତୀଶ ରାଣା ଏବଂ ରିଙ୍କୁ ସିଂହ ଦମଦାର ବ୍ୟାଟିଂ କରି ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ରେ ୬୬ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ନୀତୀଶ ୩୭ ବଲରୁ ୩ଟି ଚୌକା ଏବଂ ୨ ଛକା ସହ ୪୮ ରନ ଏବଂ ରିଙ୍କୁ ସିଂହ ୨୩ ବଲରୁ ଦ୍ରୁତ ବ୍ୟାଟିଂ କରି ୬ ଚୌକା ଏବଂ ୧ ଛକା ସହ ୪୨ ରନରେ ଅପରାଜିତ ଥିଲେ। କୋଲକାତା ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨୪ ରନ, ପ୍ରସିଦ୍ଧ କ୍ରିଷ୍ଣା ୩୭ ଏବଂ କୁଲଦୀପ ସେନ ୨୮ ରନ ଦେଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।