ଆଇପିଏଲ-୨୦୨୨ : ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ରାଜସ୍ଥାନ
ପୁନେ : ଳିତ ଆଇପିଏଲ୍-୨୦୨୨ ୧୫ତମ ସଂସ୍କରଣରେ ପଞ୍ଚମ ଲିଗ୍ ମ୍ୟାଚ୍ରେ ଆଜି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଓ ରାଜସ୍ଥାନ ରୟାଲ୍ସ (ଆରଆର) ମୁହାଁମୁହିଁ ହେବେ । ମଙ୍ଗଳବାର ମୁକାବିଲାରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ କରିବ ରାଜସ୍ଥାନ । କେନ୍ ଓ୍ଵିଲିୟମସନ ହାଇଦ୍ରାବାଦର ନେତୃତ୍ଵ ନେଉଥିବା ବେଳେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଭାର ସଞ୍ଜୁ ସାମସନଙ୍କ ଉପରେ ରହିଛି।
ସନରାଇଜର୍ସକୁ ଅନେକ ମ୍ୟାଚ୍ ଜିତାଇଥିବା ରଶିଦ ଖାନ୍ ଏଥର ନାହାନ୍ତି । ୨୦୧୭ ସିଜନରୁ ରଶିଦ ନିମୟିତ ଭାବେ ସନରାଇଜର୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ତାଙ୍କ ଉପସ୍ଥିତିରେ ସନରାଇଜର୍ସ ଥରେ ଚାମ୍ପିଅନ୍ ହୋଇଥିଲା । ହେଲେ ଏଥର ତାଙ୍କ ବିନା ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଉମ୍ରାନ ମଲିକ ଦଳର ପେସ୍ ବୋଲିଂ ବିଭାଗ ସମ୍ଭାଳିବେ । ୱାଶିଂଟନ ସୁନ୍ଦର, ମୁଖ୍ୟ ସ୍ପିନର ଭାବେ ଖେଳିବେ । ତାଙ୍କୁ ଅବଦୁଲ ସମଦ ଓ ଅଭିଷେକ ଶର୍ମା ବୋଲିଂରେ ସହାୟତା କରିବେ । ଏଥର ଦଳର ବ୍ୟାଟିଂ ବିଭାଗ ମଧ୍ୟ ସନ୍ତୁଳିତ । ଘରୋଇ ଖେଳାଳି ଯୋଡି ରାହୁଲ ତ୍ରିପାଠୀ ଓ ଅଭିଷେକ ପାଳି ଆରମ୍ଭ କରିବା ଆଶା କରାଯାଉଛି । କେନ ୱିଲିୟମସନ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ମଧ୍ୟକ୍ରମ ସମ୍ଭାଳିବେ ।
ଗତ ସଜିନ ଭଳି ରାଜସ୍ଥାନ ରୟାଲ୍ସ ଏଥର ମଧ୍ୟ ସନ୍ତୁଳିତ ଓ ଶକ୍ତିଶାଳୀ ମନେ ହେଉଛି। ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଆର ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲ ବୋଲିଂ ବିଭାଗ ଦାୟିତ୍ୱରେ ରହିଛନ୍ତି । ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ଯଶସ୍ୱୀ ଜୈଶ୍ଵାଲ, ସିମରନ ହେଟମାୟର ଓ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ ବିଭାଗ ସମ୍ଭାଳିବାକୁ ପ୍ରସ୍ତୁତ । ଆଇପିଏଲ ଇତିହାସରେ ମୋଟ ୫ଜଣ ବ୍ୟାଟସମ୍ୟାନ ୪୦ରୁ ଉଦ୍ଧ୍ୱର୍ ହାର ଓ ୧୪୦ରୁ ଉର୍ଦ୍ଧ ଷ୍ଟ୍ରାଇକ ରେଟ୍ରେ ସ୍କୋର କରିଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣ ରୟାଲ୍ସ ଦଳରେ ରହିଛନ୍ତି । ସେମାନେ ହେଲେ ସାମସନ ଓ ବଟଲର । ତେଣୁ କରି ରୟାଲ୍ସ ଦଳ ବିସ୍ଫୋରକ ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଥିବା ସ୍ପଷ୍ଟ ।
ରାଜସ୍ଥାନ ରୟାଲ୍ସ :
ଯଶସ୍ଵୀ ଜୟଶଓ୍ଵାଲ, ଜୋସ୍ ବଟଲର, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେଟମାୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ଵିନ, ନାଥନ କୁଲଟର ନାଇଲ, ୟୁଜବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ।
ସନରାଇଜର୍ସ ହାଇଦ୍ରାବାଦ :
ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, କେନ ଓ୍ଵିଲିୟମସନ(ଅଧିନାୟକ), ନିକୋଲାସ ପୁରନ(ଓ୍ଵିକେଟ୍ କିପର), ଆଡନ ମାରକ୍ରମ, ଅବଦୁଲ ସାମଦ, ଓ୍ଵାଶିଂଟନ ସୁନ୍ଦର, ରୋମାରିଓ ଶେଫାର୍ଡ, ଭୁବନେଶ୍ଵର କୁମାର, ଟି ନଟରାଜ, ଉମରାନ ମଲିକ।