ଆଇପିଏଲ-୨୦୨୨ : ଦର୍ଶକଙ୍କ ପାଇଁ ଖୁସି ଖବର, ମିଳିପାରେ ୨୫%ରୁ ଅଧିକ ଅନୁମତି
ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୨ର ୧୫ତମ ସଂସ୍କରଣ। ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ମାତ୍ର ଦର୍ଶକଙ୍କୁ ଅନୁମତି ମିଳିବ କି ନାହିଁ ସେନେଇ ଲାଗି ରହିଛି ଦ୍ଵନ୍ଦ । ତେବେ ଏହାରି ମଧ୍ୟରେ ଷ୍ଟାଡିୟମରେ ୨୫%ରୁ ଅଧିକ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ ବୋଲି ଜଣାପଡିଛି ।
ମହାରାଷ୍ଟ୍ର ରାଜ୍ୟ ସରକାର ଷ୍ଟାଡିୟମର ଏକ ଚତୁର୍ଥାଂଶ ଆସନ ପାଇଁ ଦର୍ଶକଙ୍କୁ ଅନୁମତି ଦେବା ଉପରେ ବିଚାର କରୁଛନ୍ତି। ମାତ୍ର ବିସିସିଆଇ ଆଶା କରୁଛି ଯେ, ଲିଗ୍ ବଢିବା ସହିତ ଅଧିକ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଯିବ। ବିସିସିଆଇର ଜଣେ ଅଧିକାରୀ ସୋମବାର କ୍ରିକବଜକୁ କହିଛନ୍ତି, କେତେ ଜଣ ଦର୍ଶକଙ୍କୁ ଅନୁମତି ମିଳିବ ତାହା ଆମ ବୁଝିବା ବାହାରେ ରହିଛି। ତେବେ ଆଶା କରୁଛୁ ଲିଗ୍ ଆଗକୁ ବଢିବା ସହିତ ଦର୍ଶକଙ୍କ ସଂଖ୍ୟା ଅଧିକ ବଢିବ।
ସୂଚନା ଯେ, ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ୯୮୦୦ରୁ ୧୦ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ। ସେହି ପରି ୨୮ ହଜାର କ୍ଷମତା ବିଶିଷ୍ଟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସାତରୁ ଆଠ ହଜାର ଦର୍ଶକ, ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ୧୧ରୁ ୧୨ ହଜାର ଦର୍ଶକ ଏବଂ ପୁଣେର ମହାରାଷ୍ଟ୍ର କିକେଟ୍ ଷ୍ଟାଡିୟମରେ ୧୨ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ। ବୋର୍ଡ ଓ୍ଵେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ବିପକ୍ଷରେ କୋଲକାତା, ଧର୍ମଶାଳା, ମୋହାଲି ଏବଂ ବେଙ୍ଗାଲୁରୁରେ ନିକଟରେ ସଂପନ୍ନ ଅନ୍ତର୍ଜାତୀୟ ମ୍ୟାଚ୍ରେ ଦର୍ଶକଙ୍କ ଉପସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରିଛି। ତେଣୁ ଆଇପିଏଲରେ ମଧ୍ୟ ଦର୍ଶକଙ୍କ ଅନୁମତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।