ଆଇପିଏଲ୍-୨୦୨୨ : ରାଜସ୍ଥାନକୁ ୮ ଓ୍ଵିକେଟ୍ ହରାଇଲା ଦିଲ୍ଲୀ
ମୁମ୍ବାଇ: ଆଇପିଏଲ-୨୦୨୨ର ୫୮ତମ ମୁକାବିଲାରେ ବୁଧବାର ମିଚେଲ୍ ମାର୍ଶଲ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୮ ଓ୍ଵିକେଟ୍ରେ ହରାଇଛି। ଆଇପିଏଲର ୫୮ତମ ମୁକାବିଲାକୁ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ଦୌଡରେ ନିଜକୁ ରଖି ପାରିଛି। ଦଳ ୧୨ଶ ମ୍ୟାଚରୁ ଷଷ୍ଠ ବିଜୟ ପରେ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ ୧୨ଶ ମ୍ୟାଚରୁ ପଞ୍ଚମ ପରାଜୟ ପରେ ବି ୧୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀ ଏବଂ ରାଜସ୍ଥାନର ଆଉ ଦୁଇଟି ମ୍ୟାଚ୍ ବାକି ରହିଛି।
ଆଜିର ମ୍ୟାଚ୍ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍ ସାବ୍ୟସ୍ତ କରି ଯୁବ ତାରକା ଚେତନ ସକାରିୟା ଇନଫର୍ମ ଜୋଶ ବଟଲର(୭)ଙ୍କୁ ନିଜର ଦ୍ୱିତୀୟ ଓଭର୍ରେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ ଯଶ୍ୱସୀ ଜୈସୱାଲ ଓ ଅଶ୍ୱିନ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୫୪ରେ ପହଞ୍ଚାଇଥିଲେ। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ଜୈସୱାଲ(୧୯) ମିଚେଲ ମାର୍ଶଙ୍କ ଶିକାର ବନିଥିଲେ। ଅଶ୍ୱିନ ଓ ପାଡିକ୍କଲ ତୃତୀୟ ୱିକେଟ ପାଇଁ ପୁଣି ଗୋଟିଏ ଭଲ ଭାଗିଦାରୀ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇଥିଲେ। ଅଶ୍ୱିନ ମଧ୍ୟ ଚଳିତ ଆଇପିଏଲରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାପରେ ସେ ନିଜର କିମ୍ବା ଦଳୀୟ ସ୍କୋରକୁ ଆଗକୁ ନେଇ ପାରି ନଥିଲେ। ୩୮ ବଲ୍ରେ ୫୦ ରନ୍ କରିଥିବା ଅଶ୍ୱିନଙ୍କୁ ଆଉଟ କରି ମାର୍ଶ ରାଜସ୍ଥାନକୁ ତୃତୀୟ ଝଟକା ଦେଇଥିଲେ। ଅଶ୍ୱିନ ତାଙ୍କ ଇନିଂସରେ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଏହାପରେ ରାଜସ୍ଥାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ସଞ୍ଜୁ ସାମସନ(୬) ଓ ରିୟାନ ପରାଗ(୯) ସମସ୍ତଙ୍କୁ ନିରାଶ କରିଥିଲେ। ସେହିପରି ୧୯ତମ ଓଭର୍ ବୋଲିଂ କରୁଥିବା ଅନରିଚ ନୋର୍ଖିୟା ୪୮ ରନ କରିଥିବା ପାଡିକ୍କଲଙ୍କୁ ଆଉଟ କରି ରାଜସ୍ଥାନର ରନ ସଂଗ୍ରହ ହାରରେ ରୋକ ଲଗାଇ ଦେଇଥିଲେ। ଶେଷ ଭାଗରେ ରସେଇ ଭାନ ଡେର ଡୁସେନ ବଡ଼ ଶଟ ଖେଳିବାକୁ ଚାହିଁଥିଲେ ମଧ୍ୟ ଦିଲ୍ଲୀ ବୋଲରମାନେ ତାଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ସେ ଶେଷ ଯାଏ ୧୦ ବଲରେ ୧୨ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଅପରାଜିତ ୩ ରନ୍ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ ହରାଇ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ ମାର୍ଶ, ନୋର୍ଖିୟା ଓ ସକାରିୟା ୨ଟି ଲେଖାଏ ୱିକେଟ ନେଇଛନ୍ତି।
ଜବାବରେ ମିଚେଲ୍ ମାର୍ଶଙ୍କ ବିସ୍ଫୋରକ ୮୯ ରନ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅପରାଜିତ ୫୨ ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୧ ଓଭରରେ ୨ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଟ୍ରେଣ୍ଟ ବୋଲ୍ଟ ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେବାରେ ସକ୍ଷମ ହୋଇଛନ୍ତି।