ଆଇପିଏଲ୍-୨୦୨୨ : ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ
ମୁମ୍ବାଇ : ଆଇପିଏଲ୍-୨୦୨୨ର ୩୮ତମ ଲିଗ୍ ମୁକାବିଲାରେ ସୋମବାର ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନକୁ ଭୁଲି ଉଭୟ ଦଳ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ପଞ୍ଜାବ କିଙ୍ଗ୍ସ ମୋଟ ୬ ପଏଣ୍ଟ ସହ ଅଷ୍ଟମ ଓ ସୁପରକିଙ୍ଗ୍ସ ୪ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ସୋମବାର ମ୍ୟାଚ୍ ଜରିଆରେ ଉଭୟ ଦଳ ପଏଣ୍ଟ ତାଲିକାରେ ଉନ୍ନତି ଆଣିବାକୁ ପ୍ରୟାସ କରିବେ । ଏହି ମ୍ୟାଚ୍ ହାରିଲେ ଚେନ୍ନାଇ ପାଇଁ ପ୍ଲେ ଅଫ ଦୌଡରୁ ବାଦ୍ ପଡିବାର ସମ୍ଭାବନା ଅଧିକ ବଢିଯିବ। ତେବେ ଆଜିର ମ୍ୟାଚରେ ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ସୁପର କିଙ୍ଗ୍ସର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନଥିବା ବେଳେ ପଞ୍ଜାବ କିଙ୍ଗ୍ସରେ ତିନୋଟି ପରିବର୍ତ୍ତନ ହୋଇଛି। ଶାହରୁଖ, ଏଲିସ ଏବଂ ଆରୋରଙ୍କ ବଦଳରେ ରାଜପକ୍ଷେ, ସନ୍ଦୀପ ଏବଂ ଋଷି ଧାଓ୍ଵନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।
ଲିଗ୍ ପର୍ଯ୍ୟାୟର ଅଷ୍ଟମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଓ ସୁପରକିଙ୍ଗ୍ସ ସାମ୍ନାସାମ୍ନି ହୋଇଥିଲେ । ଏହି ମ୍ୟାଚ୍ରେ ସୁପରକିଙ୍ଗ୍ସ ୫୪ରନ୍ରେ ପରାଜିତ ହୋଇଥିଲା । ରବୀନ୍ଦ୍ର ଜାଡ଼େଜାଙ୍କ ନେତୃତ୍ୱାଧିନ ସୁପରକିଙ୍ଗ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଶେଷ ଲିଗ୍ରେ ଦଳ ରୋମାଞ୍ଚକର ବିଜୟ ହାସଲ କରିଥିଲା । ମହେନ୍ଦ୍ର ସିଂହ ଧୋନି (ଅପରାଜିତ ୨୮) ଅନ୍ତିମ ବଲ୍ରେ ଚୌକା ମାରି ଦଳକୁ ଜିତାଇଥିଲେ । ଏହି ବିଜୟ ଦଳର ମନୋବଳ ଦ୍ୱିଗୁଣିତ କରିଛି । ଧୋନି ଓ ଅଲରାଉଣ୍ଡର ଶିବମ ଦୁବେଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ମୟଙ୍କ୍ ଅଗ୍ରୱାଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗ୍ସ ସୁପରକିଙ୍ଗ୍ସ ବିପକ୍ଷରେ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ । ଏହି ମ୍ୟାଚ୍ରେ ଷ୍ଟାର୍ ବ୍ୟାଟର ଲାଏମ୍ ଲିଭିଙ୍ଗ୍ଷ୍ଟୋନ୍ଙ୍କ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ । ସେ ପୂର୍ବ ମ୍ୟାଚ୍ରେ ଅଲରାଉଣ୍ଡ୍ ପ୍ରଦର୍ଶନ କରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଲିଭିଙ୍ଗ୍ଷ୍ଟୋନ୍ ୬୦ ରନ୍ କରିବା ସହ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ସୋମବାର ଓଡେନ ସ୍ମିଥ୍ ଓ ଭାନୁକା ରାଜପାକ୍ସା ଏକାଦଶକୁ ଫେରିବା ସମ୍ଭାବନା ରହିଛି ।
ପଞ୍ଜାବ କିଙ୍ଗ୍ସ :
ମୟଙ୍କ ଅଗ୍ରୱାଲ (ଅଧିନାୟକ), ଶିଖର ଧାୱନ, ଜନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ୱିକେଟ୍ କିପର), ଭାନୁକା ରାଜପକ୍ଷେ, ଋଷି ଧାୱନ, କାଗିସୋ ରାବାଡା, ରାହୁଲ ଚହର, ସନ୍ଦୀପ ଶର୍ମା, ଅର୍ଶଦୀପ ସିଂ।
ଚେନ୍ନାଇ ସୁପର କିଙ୍ଗ୍ସ :
ରୁତୁରାଜ ଗାଏକୱାଡ, ରବିନ୍ ଉଥାପ୍ପା, ଅମ୍ବାତି ରାୟୁଡୁ, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା (ଅଧିନାୟକ), ଏମ୍.ଏସ୍ ଧୋନୀ (ଓ୍ଵିକେଟ୍ କିପର), ମିଚେଲ୍ ସାଣ୍ଟନର୍, ଡ୍ୱାଇନ୍ ପ୍ରିଟୋରିୟସ୍, ଡ୍େନ ବ୍ରାଭୋ, ମୁକେଶ ଚୌଧୁରୀ, ମହେଶ ଥିଶାନା।