ବାତିଲ ହେଲା ଆଇପିଏଲ-୨୦୨୧
ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାୟୋ ବବଲରେ ଥିବା ଆଇପିଏଲ-୨୦୨୧ ମଧ୍ୟରେ ମହାମାରୀ କରୋନା ପ୍ରବେଶ କରିଛି । ପ୍ରଥମ ୨୯ଟି ମ୍ୟାଚ ସୁରୁଖୁରୁରେ ବିନା ଦର୍ଶକରେ ଚାଲିଥିବାବେଳେ ୩୦ତମ ମ୍ୟାଚଠାରୁ ପ୍ରଭାବିତ ହୋଇଛି। କରୋନା ସଂକ୍ରମଣ ଯୋଗୁ ବାତିଲ ହେଲା ଆଇପିଏଲ-୨୦୨୧ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ସୂଚନା ଦେଇଛନ୍ତି ।
ଆଇପିଏଲ୍ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଥିଲା। ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସର ତିନି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପରେ ଆଇପିଏଲ୍ର ବାୟୋ ବବଲକୁ ନେଇ ପ୍ରଶ୍ନ ଉଠିଛି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପୂର୍ବରୁ ହାଇଦ୍ରାବାଦର ୨ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଥିଲେ ।ଦେଶରେ ବଢୁଥିବା କରୋନା ସଂକ୍ରମଣ ପରେ ମଧ୍ୟ ଆଇପିଏଲ୍ ବାତିଲ୍ ହୋଇନଥିଲା। ଅନେକ ଲୋକ ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଦାବି କରି ସାରିଛନ୍ତି। ସୂଚନା ଯେ, ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଓ୍ଵାର୍ଲ୍ଡ କ୍ରିକେଟ୍ର କାରବାର ପ୍ରାୟ ୧୫ ହଜାର କୋଟି ଟଙ୍କା। ଏଥିରୁ ୩୩ ପ୍ରତିଶତ ଆଇପିଏଲ୍ରୁ ହିଁ ଆସିଥାଏ। ଅର୍ଥାତ କେବଳ ଆଇପିଏଲ୍ରୁ ବିଶ୍ଵ କ୍ରିକେଟ୍କୁ ୫ ହଜାର କୋଟି ଟଙ୍କା ମିଳିଥାଏ। ଏହି କାରଣରୁ ବିସିସିଆଇକୁ ଟି-୨୦ ଲିଗ୍ ଆୟୋଜନରେ ଦୁନିଆର ଅନ୍ୟ କ୍ରିକେଟ୍ ବୋର୍ଡର ସହଯୋଗ ମିଳୁଛି।