ଆଇପିଏଲ୍-୨୦୨୧ : ଫାଇନାଲ ପାଇଁ ଆଜି ଦିଲ୍ଳୀ-ଚେନ୍ନାଇ ମୁକାବିଲା
ଦୁବାଇ : ଆଇପିଏଲ୍୧୪ରେ ଭାରତ ଓ ୟୁଏଇ ଚରଣରେ ୫୬ଟି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବା ପରେ ଆଜିଠୁ ପ୍ଲେ-ଅଫ୍ ରାଉଣ୍ଡ ଆରମ୍ଭ ହେବାକୁ ଯାଉଛି । ପ୍ରଥମ କ୍ୱାଲିଫାୟର୍ ମୁକାବିଲାରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଓ ରିଷଭ ପନ୍ତଙ୍କ ନେତୃତ୍ତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍ର ବିଜେତା ସିଧା ସଳଖ ଫାଇନାଲ୍କୁ ଉନ୍ନୀତ ହେବ । ପରାଜିତ ଦଳ ପାଇଁ ମଧ୍ୟ ଫାଇନାଲ୍ରେ ପହଞ୍ଚିବାକୁ ଆଉ ଏକ ସୁଯୋଗ ମିଳିବ । ପ୍ରଥମ ପ୍ରୟାସରେ ଫାଇନାଲ୍ରେ ପହଞ୍ଚିବାର ଆଶା ନେଇ ଉଭୟ ଦଳ ଆଜି ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳର ସମସ୍ତ ଖେଳାଳି ଫିଟ୍ ଓ ଫର୍ମରେ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ସବୁଠୁ ସନ୍ତୁଳିତ ଦଳ ରୂପେ ପ୍ରମାଣିତ କରିଛି । ଦଳର ପ୍ରଦର୍ଶନରେ ସ୍ଥିରତା ରହିଛି ।
୨୦୧୯ ସିଜନରେ ଦିଲ୍ଳୀ କ୍ୟାପିଟାଲ୍ସ ଦ୍ୱିତୀୟ କ୍ୱାଲିଫାୟରରେ ପରାଜିତ ହୋଇ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା । ଗତ ସିଜନରେ ଦଳକୁ ରନର୍ସ ଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଚଳିତ ବର୍ଷ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହି କ୍ୟାପିଟାଲ୍ସ ଦଳ କ୍ୱାଲିଫାୟର ଖେଳିବାକୁ ଯାଉଛି । ସୁପରକିଙ୍ଗ୍ସକୁ ହାଲ୍କା ଭାବେ ଗ୍ରହଣ କରିବା ମୁର୍ଖାମୀ ହେବ । ଦଳର ଏକାଧିକ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଥିଲେ ହେଁ ସେମାନଙ୍କ ଫିଟ୍ନେସ୍ ଓ ପ୍ରଦର୍ଶନରେ ଅବନତି ହୋଇନାହିଁ । ପ୍ରତିପକ୍ଷକୁ ହରାଇବା ପାଇଁ ଧୋନିଙ୍କ ରଣ କୌଶଳ ଯଥେଷ୍ଟ । ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକୱାଡ୍ ସମ୍ପ୍ରତି ସବୁଠୁ ଚର୍ଚ୍ଚିତ ଖେଳାଳି । ସେ ବିସ୍ଫୋରକ ବ୍ୟାଟିଂ ବଳରେ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି । ସୁପରକିଙ୍ଗ୍ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା । ସେହିପରି ଲିଗ୍ ପର୍ଯ୍ୟାୟରେ ସୁପରକିଙ୍ଗ୍ସ ସର୍ବାଧିକ ୧୦୦ଟି ଛକା ଓ କ୍ୟାପିଟାଲ୍ସ ସର୍ବନିମ୍ନ ୫୪ଟି ଛକା ମାରିଛନ୍ତି । ଲିଗ୍ ପର୍ଯ୍ୟାୟରେ କେବଳ ଚୌକା ଓ ଛକାରେ ସୁପରକିଙ୍ଗ୍ସ ଦଳ ମୋଟ୍ ୧୪୧୨ ରନ୍ ସଂଗ୍ରହ କରିଛି । ଦୁଇ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଲିଗ୍ ପର୍ଯ୍ୟାୟର ୨ଟି ଯାକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଥିଲା । ଏଥର ସୁପରକିଙ୍ଗ୍ସ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।
ଆଇପିଏଲ୍ର ଅନ୍ୟତମ ସଫଳ ଦଳ ଚେନ୍ନାଇ ଏଥର ବି ସ୍ଥିର ପ୍ରଦର୍ଶନ ଦେଇ ଆସୁଥିଲା। ହେଲେ ଅପ୍ରତ୍ୟାଶିତ ଭାବେ ଶେଷ ତିନିଟି ମ୍ୟାଚ୍ ହାରି ପରାଜୟର ଆଲୋଡ଼ା ହ୍ୟାଟ୍ରିକ୍ ଅର୍ଜନ କରିଥିଲା। ସେହିଭଳି ଶ୍ରୀକର ଭରତଙ୍କ ଶେଷ ବଲ୍ ଛକା ପାଇଁ ଦିଲ୍ଲୀ ମଧ୍ୟ ତାର ଶେଷ ଲିଗ୍ ମ୍ୟାଚ୍ରେ ଆର୍ସିବିଠାରୁ ହାରିଯାଇଥିଲା। ଏଣୁ ଉଭୟ ଦଳ ବିଜୟଧାରାକୁ ଫେରିବା ସହ ପ୍ରଥମ ପ୍ରୟାସରେ ହିଁ ଫାଇନାଲ୍ ଟିକେଟ ହାସଲ କରିନେବାକୁ ଚେଷ୍ଟା କରିବେ। ପରାଜିତ ଦଳ ଅବଶ୍ୟ ଏଲିମିନେଟରର ବିଜେତା ଦଳ ସହ ଦ୍ବିତୀୟ କ୍ବାଲିଫାୟର ଖେଳିବାର ସୁଯୋଗ ପାଇବ। ହେଲେ ରବିବାର ଯେଉଁ ଦଳ ବିଜୟୀ ହେବ ସିଏ ଆତ୍ମବିଶ୍ବାସର ସହ ଫାଇନାଲ୍ ଖେଳିବ। ଚେନ୍ନାଇ ପରାଜିତ ହେଲେ କିନ୍ତୁ ଲଗାତାର ଚାରିଟି ମ୍ୟାଚ୍ ହାରିବାର ଅପଯଶ ମୁଣ୍ଡାଇବ। ଦିଲ୍ଲୀ ହାରିଲେ ଲଗାତାର ଦ୍ବିତୀୟ ମ୍ୟାଚ୍ ହାରିବ।
ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଦୁଇଟି ଯାକ ଦଳ କେହି କାହାରିଠୁ କମ୍ ନୁହନ୍ତି। ଚେନ୍ନାଇ ପାଖରେ ଲମ୍ବା ଅଭିଜ୍ଞତା ଥିବା ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି। ଯୁବ ଓପନର ଋତୁରାଜ ଗାଏକ୍ବାଡ୍ଙ୍କୁ ଛାଡ଼ିଲେ ଚେନ୍ନାଇ ବ୍ୟାଟିଂ ବାହିନୀର ସବୁ ଶୀର୍ଷକ୍ରମ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ରେ ଜଣେ ଜଣେ ସୁପରିଚିତ ନାଁ। ଫାଫ୍ ଡୁ’ପ୍ଲେସିସ୍, ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ଡ୍ବେନ୍ ବ୍ରଭୋ ସମସ୍ତେ ଜଣେ ଜଣେ ମ୍ୟାଚ୍ ବିଜୟୀ ଖେଳାଳି। ଅଧିନାୟକ ଧୋନି ଏବେ ଭଲ ଫର୍ମରେ ନାହାନ୍ତି। ତଥାପି ସେ ଯେ କୌଣସି ମୁହୂର୍ତରେ ମ୍ୟାଚ୍ର ମୋଡ଼ ବଦଳାଇ ଦେବାର ଦମ୍ଭ ରଖନ୍ତି। ତାଙ୍କୁ ମଧ୍ୟ ସୀମିତ ଓଭର କ୍ରିକେଟ୍ର ସର୍ବଶ୍ରେଷ୍ଠ ଅଧିନାୟକର ମାନ୍ୟତା ମିଳେ। ଚେନ୍ନାଇ ପାଖରେ ଜୋସ୍ ହାଜେଲଉଡ୍, ଦୀପକ ଚହର, ଶାର୍ଦୁଳ ଠାକୁରଙ୍କ ଭଳି ଦ୍ରୁତ ବୋଲର ଏବଂ ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଦେଜା ଓ ଡ୍ବେନ୍ ବ୍ରାଭୋଙ୍କ ଭଳି ଅଲରାଉଣ୍ଡର ଅଛନ୍ତି। ଅନ୍ୟପକ୍ଷରେ ଶିଖର ଧାୱନ, ପୃଥ୍ବୀ ସ’, ଶ୍ରେୟସ୍ ଆୟର, ଷ୍ଟିଭେନ୍ ସ୍ମିଥ୍, ନିଜେ ଋଷଭ ପନ୍ତ, ସିମରନ୍ ହେଟମେୟରଙ୍କୁ ନେଇ ଦିଲ୍ଲୀର ବ୍ୟାଟିଂକ୍ରମ ବି ବେଶ୍ ସୁଦୃଢ଼। ତେବେ ଏମାନଙ୍କୁ ସ୍ଥିରତା ରଖିବାକୁ ହେବ। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଆହତ ହୋଇ ବାଦ ପଡ଼ିବା ଦିଲ୍ଲୀ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ଏହାକୁ ସଫଳତାର ସହ ଭରଣା କରିଛନ୍ତି। ବୋଲିଂରେ ଅନରିକ ନର୍ଖିୟା, କାଗିସୋ ରବାଦା, ଅଭେସ ଖାନଙ୍କ ଦ୍ରୁତ ବୋଲିଂ ସାଙ୍ଗକୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ବିନଙ୍କ ସ୍ପିନ୍ ପ୍ରତିପକ୍ଷକୁ ଘାଇଲା କରିବାକୁ ପୂରା ସକ୍ଷମ।
ସମ୍ଭାବ୍ୟ ଚେନ୍ନାଇ ସୁପରକିଙ୍ଗ୍ସ: ଋତୁରାଜ ଗାଏକ୍ବାଡ୍, ଫାଫ୍ ଡୁପ୍ଲେସିସ୍, ମୋଇନ ଅଲ୍ଲୀ, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଡ୍ବେନ୍ ବ୍ରାଭୋ, ଦୀପକ ଚହର, ଶାର୍ଦୁଳ ଠାକୁର, ଜୋସ୍ ହାଜେଲଉଡ୍।
ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ସ’, ଶିଖର ଧାୱନ, ଋଷଭ ପନ୍ତ (ଅଧିନାୟକ), ଶ୍ରେୟସ୍ ଆୟର, ସିମରନ୍ ହେଟମେୟର, ରିପଲ ପଟେଲ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଦା, ଅଭେସ ଖାନ୍, ଅନରିକ ନର୍ଖିୟା।