ଆଇପିଏଲ୍-୨୦୨୧ : ଆଜି ଚେନ୍ନାଇ-ଦିଲ୍ଲୀ ମୁକାବିଲା
ଚେନ୍ନାଇ : ଦୁନିଆର ସବୁଠାରୁ ଆକର୍ଷକ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍-୨୦୨୧ (୧୪ଶ ସଂସ୍କରଣ) ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଶନିବାର ଦ୍ଵିତୀୟ ଦିନରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ୩ଥରର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଓ ଗତ ଥର ଫାଇନାଲକୁ ଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ । ସିଜିନର ଦ୍ଵିତୀୟ ମ୍ୟାଚ ଦୁଇ ୱିକେଟକିପର ବ୍ୟାଟ୍ସମ୍ୟାନଙ୍କ ନେତୃତ୍ୱରେ ଉଭୟ ଦଳ ଖେଳିବେ।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନଇ ସୁପରକିଙ୍ଗ୍ସ ୨୦୧୦, ୨୦୧୧ ଓ ୨୦୧୮ରେ ୩ଥର ଚମ୍ପିଆନ ହୋଇଥିବା ବେଳେ ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ୫ଥର ରନର୍ସଅପ ହୋଇଛି। ମାତ୍ର ଗତ ୨୦୨୦ରେ ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ତମ ସଂସ୍କରଣରେ ପ୍ରଥମ ଥର ପାଇଁ ପ୍ଲେ ଅଫକୁ ଉନ୍ନୀତ ହେବାରେ ବିଫଳ ହୋଇଥିଲା। ଚଳିତ ଥର ଦଳକୁ ସୁରେଶ ରୈନା ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅମ୍ବାତି ରାଇଡୁ, ଧୋନି, ଫ୍ଲାଫ ଡୁପ୍ଲେସି ଓ ଋତୁରାଜ ଗାଏକ୍ବାର୍ଡ, ଚେତ୍ତେଶ୍ୱର ପୂଜାରାଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ଏହାଛଡ଼ା ମୋଇନ୍ ଅଲ୍ଲୀ, କ୍ରିଷ୍ଣପା ଗୌତମ, ରବୀନ୍ଦ୍ର ଜାଡେଜା, ଡାରେନ ବ୍ରାଭୋ, ସାମ୍ କରନଙ୍କ ଭଳି ଅଲ୍ରାଉଣ୍ଡର ରହିଛନ୍ତି। ସ୍ପିନ ବିଭାଗରେ ମିଚେଲ ସାଣ୍ଟନର, କର୍ଣ୍ଣ ଶର୍ମା, ଇମ୍ରାନ ତାହିର ରହିଛନ୍ତି। ଫାଷ୍ଟ ବୋଲିଂ ବିଭାଗରେ ଲୁଙ୍ଗି ଏନ୍ଗିଡ଼ି,ସାର୍ଦୁଳ ଠାକୁର, ଦୀପକ ଚହର ପ୍ରମୁଖ ରହିଛନ୍ତି। ରୈନାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଶକ୍ତ କରିଥିବାବେଳେ ଧୋନିଙ୍କ ଅଭିଜ୍ଞତାର ଫାଇଦା ଦଳକୁ ମିଳିବା ନେଇ ଆଶା କରାଯାଉଛି।
ସେହିପରି ଡିଫେଣ୍ଡିଂ ରନର୍ସଅପ ଦିଲ୍ଲୀ କ୍ୟାପିଟାଲ ଅନଭିଜ୍ଞ ଅଧିନାୟକ ଋଷଭ ପନ୍ତ୍ଙ୍କ ନେତୃତ୍ବରେ ଖେଳିବାକୁ ଯାଉଛି। ଶ୍ରେୟସ ଆୟର ଆହତ ହୋଇ ଆଇପିଏଲରୁ ବାଦ୍ ପଡ଼ିଥିବାବେଳେ ପନ୍ତ୍ଙ୍କୁ ଦାୟିତ୍ୱ ମିଳିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗତ ୨୦୨୦ରେ ଫାଇନାଲ ଖେଳିଥିବା ଦିଲ୍ଲୀ ଚମ୍ପିଆନ ହେବାରେ ବିଫଳ ହୋଇଥିଲା। ଚଳିତ ଥର ଦଳରେ ଶିଖର ଧାୱନ ଓ ପୃଥ୍ଵୀ ସ’ଙ୍କ ଭଳି ଓପନର ରହିଛନ୍ତି। ଧାୱନ ଗତ ସିଜିନରେ ଦ୍ଵିତୀୟ ସର୍ବାଧିକ ସ୍କୋର ୬୧୮ରନ କରିଥିଲେ। ପୃଥ୍ଵୀ ଚଳିତ ବିଜୟ ହଜାରେ ଟ୍ରଫିରେ ୮୨୭ରନ କରି ଫର୍ମର ପରିଚୟ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ୍ ସ୍ମିଥ୍, ଆଜିଙ୍କ୍ୟ ରାହାଣେ, ପନ୍ତ୍, ସିମରନ ହେତ୍ମେୟାର, ସାମ୍ ବିଲିଙ୍ଗ୍ସ ମଧ୍ୟକ୍ରମରେ ବ୍ୟାଟିଂ ଭାର ସମ୍ଭାଳିବେ ମାର୍କୋସ ଷ୍ଟୋଇନିସଙ୍କ ଭଳି ଅଲ୍ରାଉଣ୍ଡର ରହିଛନ୍ତି। ଦକ୍ଷିଣଆଫ୍ରିକାର ଦୁଇ ଫାଷ୍ଟ ବୋଲର କାଗିସୋ ରାବଡା ଓ ଅନରିଚ୍ ନୋର୍ଖ୍ୟାଙ୍କ ସମେତ ଇଶାନ୍ତ ଶର୍ମା, ଉମେଶ ଯାଦବ ଓ କ୍ରିସ୍ ୱକସ୍ ରହିଛନ୍ତି। ଅକ୍ଷର ପଟେଲ ପ୍ରଥମ ମ୍ୟାଚ ନଖେଳିବାବେଳେ ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ଵିନ ଓ ଅମିତ୍ ମିଶ୍ରା ଦାୟିତ୍ୱ ତୁଲାଇବେ। ଅଭିଜ୍ଞ ଧୋନିଙ୍କ ସାମ୍ନାରେ ଅନଭିଜ୍ଞ ପନ୍ତ୍ଙ୍କ ଭାରି ପଡ଼ିବା ଆଶା କରାଯାଉଥିଲେ ମଧ୍ୟ ଚେନ୍ନଇ ସହଜରେ ମ୍ୟାଚ ଛାଡ଼ିବାକୁ ଦେବ ନାହିଁ।