ଆଇପିଏଲ-୨୦୨୧ : ଆଜି ମୁହାଁମୁହିଁ ହେବେ କେକେଆର-ହାଇଦ୍ରାବାଦ
ଚେନ୍ନାଇ : ରବିବାର ଆଇପିଏଲ-୨୦୨୧ର ତୃତୀୟ ମ୍ୟାଚ୍। ଏଥିରେ ମୁହାଁମୁହିଁ ହେବେ ଦୁଇ ପୂର୍ବ ଚମ୍ପିଆନ ଇଂଲଣ୍ଡ ସୀମିତ ଓଭର କ୍ରିକେଟ ଅଧିନାୟକ ଇୟାନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ ବିଜୟ ସହ ସିଜିନ୍ ଆରମ୍ଭ କରିବା ଲକ୍ଷ୍ୟ ରଖିଛନ୍ତି। ଗତ ସଂସ୍କରଣରେ କେକେଆର୍ ଓ ସନ୍ରାଇଜର୍ସ ପ୍ଲେଅଫ୍କୁ ଉନ୍ନୀତ ହେବାରେ ବିଫଳ ହୋଇଥିଲେ। ଚଳିତଥର ଉଭୟ ଦଳ ଟାଇଟଲ ହାତେଇବାକୁ ଆଶା ରଖିଛନ୍ତି। ରବିବାର ନାଇଟ୍ ରାଇଡର୍ସ ଅଧିନାୟକ ମୋର୍ଗାନ ଓ ସନରାଇଜର୍ସ କୋଚ୍ ଟ୍ରେଭର ବେଲିସ୍ଙ୍କ ମଧ୍ୟରେ ରଣନୀତି ପ୍ରସ୍ତୁତିକୁ ନେଇ ଅସଲ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । କାରଣ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ୨୦୧୯ ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ବେଲିସ ଏହି ସମୟରେ ଦଳର କୋଚ୍ ଥିଲେ । କେବଳ ସେତିକି ନୁହେଁ, ବେଲିସ୍ ୨୦୧୨ରୁ ୨୦୧୫ ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ କୋଚ୍ ଥିଲେ । ଏହି ସମୟରେ ନାଇଟ ରାଇଡର୍ସ ୨ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା ।
୨୦୧୨ ଓ ୨୦୧୪ରେ ଚମ୍ପିଆନ ହୋଇଥିବା କଲକାତା ନାଇଟ୍ ରାଇଡର୍ସ ଚଳିତ ଥର ମୋର୍ଗାନଙ୍କ ନେତୃତ୍ୱରେ ଖେଳିବାକୁ ଯାଉଛି। ବିଶ୍ୱକପ ଚମ୍ପିଆନ ଇଂଲଣ୍ଡ ଦଳର ଅଧିନାୟକ ମୋର୍ଗାନଙ୍କ ଅଭିଜ୍ଞତାରେ କଲକାତା ୩ୟ ଥର ଆଇପିଏଲ ଚମ୍ପିଆନ ହେବାର ଲକ୍ଷ୍ୟରଖିଛି। କଲକାତା ନିକଟରେ ଶୁବମାନ ଗିଲ୍, ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଅଭିଜ୍ଞ ଦିନେଶ କାର୍ତ୍ତିକ ଓ ଅଲ୍ରାଉଣ୍ଡର ଆଣ୍ଡ୍ୟୁ ରସେଲଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ରସେଲ ଗତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ସେ ଗୋଟିଏ ହେଲେ ମ୍ୟାଚ୍ ବିଜୟୀ ଇନିଂସ ଖେଳି ପାରିନଥିଲେ। କେକେଆର୍ ତାଙ୍କଠାରୁ ଉନ୍ନତ ପ୍ରଦର୍ଶନର ଲକ୍ଷ୍ୟ ରଖିଛି। ବୋଲିଂ ବିଭାଗରେ ବିଶ୍ବର ୧ ନମ୍ବର ଟେଷ୍ଟ ବୋଲର ପ୍ୟାଟ୍ କମିନ୍ସ, ଲୋକି ଫର୍ଗୁସନ, ପ୍ରସିଦ୍ଧ କ୍ରିଷ୍ଣା ଭଳି ଫାଷ୍ଟ ବୋଲର ରହିଛନ୍ତି। ଅଭିଜ୍ଞ ହରଭଜନ ସିଂହଙ୍କ ସମେତ ସୁନୀଲ ନାରାୟଣ, କୁଳଦୀପ୍ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ସ୍ପିନ୍ ବୋଲିଂ ଦାୟିତ୍ବ ତୁଲାଇବେ। ସେହିପରି ସନ୍ରାଇଜର୍ସ ୨୦୧୬ରେ ଚମ୍ପିଆନ ହୋଇଥିବା ବେଳେ ଗତ ସିଜିନରେ ଏଲିମିନେଟର-୨ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜିତ ହୋଇଥିଲା। ଚଳିତ ଥର ଡେଭିଡ୍ ୱାର୍ଣ୍ଣରଙ୍କ ସହ ଜନି ବେୟାରଷ୍ଟୋ, ଜେସନ ରୟ, କେନ୍ ୱିଲିୟମସନ, ଋଦ୍ଧିମାନ ଶାହା, ମନୀଷ ପାଣ୍ଡେ ଓ ପ୍ରିୟମ ଗର୍ଗଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ଇଂଲଣ୍ଡ ଓପ୍ନର ଜନି ବେୟାରଷ୍ଟୋଙ୍କ ନିକଟରୁ ବିସ୍ଫୋରକ ଇନିଂସ ଆଶା କରାଯାଉଛି। ଦଳରେ ଭୁବନେଶ୍ବର କୁମାର, ଜେସନ ହୋଲ୍ଡର, ରସିଦ୍ ଖାଁ, ଟି. ନଟରାଜନଙ୍କ ଭଳି ବୋଲର ରହିଛନ୍ତି। ଉଭୟ ଦଳ ଆଇପିଏଲରେ ୧୯ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ସନରାଇଜର୍ସ ୭ ଓ କଲକାତା ନାଇଟ୍ ରାଇଡର୍ସ ୧୨ଟି ମ୍ୟାଚ୍ ଜିତିଛନ୍ତି।
ସୂଚନା ଯେ, ଚଳିତ ସିଜନରେ ନାଇଟ୍ ରାଇଡର୍ସ ସବୁଠୁ ସନ୍ତୁଳିତ ଦଳ ରୂପେ ଉଭା ହୋଇଛି । ଦଳରେ ଏକାଧିକ ଦକ୍ଷ ଓ ଅଭିଜ୍ଞ ଅଲରାଉଣ୍ଡର ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ବେଶ୍ ଶୃଙ୍ଖଳିତ । ସୁନିଲ ନାରାଏନ୍ ଓ ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ନାଇଟ୍ ରାଇଡର୍ସ ବିଗତ ଦିନରେ ଅନେକ ମ୍ୟାଚ୍ ଜିତିଛି । ଏଥର ସାକିବ ଅଲ୍ ହାସନ ଦଳରେ ଯୋଗ ଦେଇଛନ୍ତି । ୨୦୧୨ ଓ ୨୦୧୪ରେ ନାଇଟ ରାଇଡର୍ସକୁ ଚାମ୍ପିଅନ୍ କରାଇବାରେ ସାକିବଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ପ୍ୟାଟ୍ କମିନ୍ସ ବୋଲିଂ ବିଭାଗ ସମ୍ଭାଳିବେ । ତାଙ୍କ ସହ ଶିବମ ମାଭି, କମଳେଶ ନାଗରକୋଟ୍ଟି ପେସ୍ ବିଭାଗରେ ରହିଛନ୍ତି । ସ୍ପିନ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ନାରାଏନଙ୍କ ସହ, କୁଲଦୀପ ଯାଦବ, ହରଭଜନ ସିଂହ, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ଚର୍ଚ୍ଚିତ ସ୍ପିନର ଏହି ଦଳରେ ରହିଛନ୍ତି । ସେହିପରି ସନରାଇଜର୍ସର ବ୍ୟାଟିଂ ବିଭାଗ ସମ୍ପ୍ରତି ସବୁଠୁ ଦୁର୍ଦ୍ଦର୍ଷ କହିଲେ ଭୁଲ ହେବ ନାହିଁ । କେବଳ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଯେକୌଣସି ବିଶାଳ ସ୍କୋର୍ ପିଛା କରି ଦଳକୁ ଜିତାଇବାର କ୍ଷମତା ରଖିଛନ୍ତି । ‘ଆଇସ କୁଲ୍’ କେନ ୱିଲିୟମସନ୍, ମନୀଷ ପାଣ୍ଡେଙ୍କ ଭଳି ଅଭିଜ୍ଞ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍ ଦଳରେ ଅଛନ୍ତି । ଭୁବନେଶ୍ୱର କୁମାର ଫିଟ୍ ହୋଇ ଫେରିବା ପରେ ଦଳର ବୋଲିଂ ବିଭାଗ ସନ୍ତୁଳିତ ହୋଇଛି । ରସିଦ ଖାନଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଲେଗ୍ ସ୍ପିନର ଏହି ଦଳରେ ରହିଛନ୍ତି । ତେଣୁ ଦଳର ସବୁ ବିଭାଗ ଦୃଢ ରହିଛି ।