ହଂକଂକୁ ହାଲୁକା ନନେବାକୁ ପାକିସ୍ତାନକୁ ସତର୍କ କରାଇଲେ ଇଞ୍ଜାମାମ୍
ନୂଆଦିଲ୍ଲୀ : ଏସିଆ କପ୍-୨୦୨୨ରେ ଗୁରୁବାର ବାଂଲାଦେଶ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦଳ ଆଫଗାନିସ୍ତାନ ଠାରୁ ପରାଜିତ ହୋଇସାରିଛନ୍ତି । ତେଣୁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ପାକିସ୍ତାନ ଓ ହଂକଂ ମ୍ୟାଚ୍ ଉପରେ ରହିଛି । କାରଣ ଯେଉଁ ଦଳ ଜିତିବ ସେ ସେପ୍ଟେମ୍ବର ୪ରେ ଭାରତ ସହ ଖେଳିବ ।
ଏହାକୁ ନଜରରେ ରଖି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍ ନିଜ ଦଳକୁ ସତର୍କ କରିଦେଇଛନ୍ତି । ହଂକଂକୁ ହାଲୁକା ନନେବାକୁ ସେ କହିବା ସହ ପୁରା ପ୍ରସ୍ତୁତି ସହ ପଡିଆକୁ ଓହ୍ଲାଇବାକୁ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ଶାରଜାହରେ ପାକିସ୍ତାନ ଓ ହଂକଂ ମଧ୍ୟରେ ମୁକାବିଲା ଖେଳାଯିବ । ଏହାକୁ ନେଇ ଇଞ୍ଜାମାମ୍ କହିଛନ୍ତି ଯେ, ହାଇଦର ଅଳ୍ଲୀଙ୍କୁ ଦଳରେ ସ୍ଥାନ ମିଳିବା ଦରକାର । ଏହାସହ ହଂକଂକୁ ହାଲୁକା ଭାବେ ନେବା ଅନୁଚିତ । କିନ୍ତୁ ଦଳ ସୋଏବ ମଲିକଙ୍କ ଭଳି ବ୍ୟାଟରଙ୍କ ଅନୁପସ୍ଥିତି ଅନୁଭବ କରିବ ବୋଲି ସେ କହିଛନ୍ତି ।