ହକି ବିଶ୍ୱକପ : ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର : ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏହା ଆୟୋଜନ କରାଯିବ। ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନରେ ଖେଳାଯିବ ମ୍ୟାଚ । ଏହି ପରିପ୍ରେକ୍ଷୀରେ ସାରା ଭାରତକୁ ହକି ବିଶ୍ବକପ ପାଇଁ ନିମନ୍ତ୍ରଣ କରୁଛି ଓଡ଼ିଶା । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ । ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ନିମନ୍ତ୍ରଣ କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଅନୁପସ୍ଥିତ ଥିବାରୁ ତାଙ୍କ ପକ୍ଷରୁ ମନ୍ତ୍ରୀ ରେନିକ୍ଟନ ଲିଙ୍ଗଦୋହ ଟଙ୍ଗଖର ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରାଯାଇଥିଲା ।
ସେହିପରି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ନବକିଶୋର ଦାସ ନାଗାଲାଣ୍ଡ ରାଜଧାନୀ କୋହିମା ଯାଇ ରିଓଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଛନ୍ତି ।ଓଡ଼ିଶାର ଦୁଇଟି ସ୍ଥାନ ବିର୍ଷା ମୁଣ୍ଡା ଷ୍ଟାଡିୟମ, ରାଉରକେଲା ଓ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।