ଆନ୍ତର୍ଜାତୀୟ ଯୋଗ ଦିବସ: ଷ୍ଟାଚ୍ୟୁ ଅଫ ୟୁନିଟ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ୨୧ ତାରିଖରେ ବିଶ୍ବ ପାଳିବ ୮ମ ଅନ୍ତର୍ଜାତୀୟ ଯୋଗ ଦିବସ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟରେ ଆୟୋଜିତ ବିଶେଷ ଯୋଗ ସମାରୋହରେ ଅଂଶଗ୍ରହଣ କରିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ସେହିପରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂର ପ୍ୟାଲେସ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସାମିଲ ହେବା ସହ ଦେଶକୁ ସମ୍ବୋଧିତ କରିବେ।
ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଦୂରଦର୍ଶନରେ ସକାଳ ୬ଟା ୪୦ରୁ ୭ଟା ପର୍ଯ୍ୟନ୍ତ ଏହି ସମ୍ବୋଧନ କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରତିବର୍ଷ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଜାତିସଂଘର ମାନ୍ୟତା ପାଇବା ପରେ ଅନ୍ତର୍ଜାତୀୟ ଯୋଗ ଦିବସ ଚଳିତ ଥର ୮ମ ବର୍ଷରେ ପହଞ୍ଚିଛି।