ଭାରତର ଟେଷ୍ଟ ଅଧିନାୟକ ହୋଇପାରିବେ ପନ୍ତ : ଯୁବରାଜ
ନୂଆଦିଲ୍ଲୀ : ଋଷଭ ପନ୍ତଙ୍କ ଉପରେ ଯୁବରାଜ ସିଂଙ୍କ ଭରସା । ଦଳକୁ ପନ୍ତ ଦେଇପାରିବେ ଉଚିତ ଦିଗ । ଟିମ୍ ଇଣ୍ଡିଆର ଯୁବ ଉଦୀୟମାନ ୱିକେଟ୍ କିପର ତଥା ବ୍ୟାଟର ରଷଭ ପନ୍ତଙ୍କ ଠାରେ ନେତୃତ୍ୱ ନେବାରେ ଦକ୍ଷତା ରହିଥିବା କହିଛନ୍ତି ଯୁବରାଜ । ସେ ଭବିଷ୍ୟତରେ ଟେଷ୍ଟ ଅଧିନାୟକ ହୋଇପାରିବେ । କିନ୍ତୁ ସେଥିପାଇଁ ତାଙ୍କୁ ପ୍ରସ୍ତୁତ କରିବାକୁ ହେବ ବୋଲି କହିଛନ୍ତି ପୂର୍ବତନ ଅଲରାଉଣ୍ଡର ।
ସେ କହିଛନ୍ତି, ଭବିଷ୍ୟତକୁ ଦୃଷ୍ଟି ଦେବାକୁ ହେବ । କାହାକୁ ବି ଅଧିନାୟକ ଭାବେ ପ୍ରସ୍ତୁତ କରିବାକୁ ହେବ । ସେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କୁ ଅଧିନାୟକ କରାଯିବାର ସୁଫଳ ପରେ ମିଳିଥିଲା । ଜଣେ ୱିକେଟ୍ କିପରଙ୍କର ସଂପୂର୍ଣ୍ଣ ଗ୍ରାଉଣ୍ଡ ଉପରେ ଫୋକସ ରହିଥାଏ । ପନ୍ତ ଭବିଷ୍ୟତର ଅଧିନାୟକ । ତାଙ୍କ ପାଖରେ ଦକ୍ଷତା ରହିଛି । କିନ୍ତୁ ଚୟନକର୍ତ୍ତା ତାଙ୍କୁ ପ୍ରସ୍ତୁତ କରିବା ଦରକାର । ପ୍ରଥମ ଛଅ ମାସ କିମ୍ବା ବର୍ଷକ ମଧ୍ୟରେ ତାଙ୍କ ଠାରୁ ସେମିତି କିଛି ଅଦ୍ଭୁତ ଫଳାଫଳ ଆଶା ନରଖି ସମୟ ଦେବା ଆବଶ୍ୟକ ।’ ୨୦୧୮ରେ ପନ୍ତ ଟେଷ୍ଟରେ ପଦାର୍ପଣ କରିବା ଠାରୁ ଟିମ୍ ଇଣ୍ଡିଆର ନିୟମିତ ସଦସ୍ୟ ହୋଇ ରହିଛନ୍ତି । ସେ ୩୦ଟି ମ୍ୟାଚ୍ ଖେଳି ୧୯୨୦ ରନ୍ କରି ସାରିଲେଣି । ସେଥିରେ ୪ଟି ଶତକ ଓ ୯ଟ ଅର୍ଦ୍ଧଶତକ ସାମିଲ ରହିଛି । ୱିକେଟ୍ କିପିଂରେ ମଧ୍ୟ ସେ ବେଶ୍ ସଫଳତା ହାସଲ କରିଛନ୍ତି । ୧୦୭ଟି କ୍ୟାଚ୍ ଧରିବା ସହ ୧୧ଟି ଷ୍ଟମ୍ପିଂ କରିଛନ୍ତି ।