୩ୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ
- ଇନିଂସ ଓ ୭୬ ରନରେ ଜିତିଲା ଇଂଲଣ୍ଡ
ଲିଡ୍ସ : ଲିଡ୍ସର ହେଡିଂଲେ ଗ୍ରାଉଣ୍ଡଠାରେ ଚାଲିଥିବା ୩ୟ ଟେଷ୍ଟରେ ଭାରତ ଇନିଂସ ପରାଜୟ ବରଣ କରିଛି । ଆଜି ମ୍ୟାଚର ୪ର୍ଥ ଦିନରେ ଭାରତକୁ ଇଂଲଣ୍ଡ ଏକ ଇନିଂସ ଓ ୭୬ ରନରେ ପରାସ୍ତ କରିଛି । ଏହା ସହିତ ସିରିଜ ୧-୧ରେ ବରାବର ରହିଛି ।
ଶନିବାର ଭାରତୀୟ ଦଳ ଶୁକ୍ରବାରର ସ୍କୋର ୨୧୫/୨ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । କିନ୍ତୁ ଚେତେଶ୍ବର ପୂଜାରା ନିଜର ଗତ କାଲିର ସ୍କୋର ୯୧ ଠାରୁ ଆଗକୁ ଆଗେଇ ପାରିନଥିଲେ । ପୂଜାରା ଆଉଟ ହେବା ପରେ ଭାରତ ବିରାଟ କୋହଲି(୫୫ ରନ), ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କ ଓ୍ବିକେଟ ହରାଇଥିଲା । ତେବେ ରବିନ୍ଦ୍ର ଜାଦେଜା ୨୫ ବଲରୁ ୩୦ ରନ କରି କିଛି ସମୟ ଲଢେଇ କରିଥିଲେ । ତେବେ ସେ ଆଉଟ ହେବା ପରେ ମହମ୍ମଦ ସମୀ ଓ ଇଶାନ୍ତ ଶର୍ମା ମଧ୍ୟ ଆଉଟ ହୋଇଯାଇଥିଲେ । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ଓ କ୍ରେଗ ଓଭରଟନ ୩ଟି ଲେଖାଏଁ ଓ୍ବିିକେଟ ନେଇଥିଲେ । ସେହିପରି ଓଲି ରବିନସନ ଓ ସାମ କୁରାନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ଦଳ ଇଂଲଣ୍ଡ ବୋଲରଙ୍କ ସମ୍ମୁଖୀନ ହୋଇ ନପାରି ନିଜର ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲ ଆଉଟ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୩୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜୋ ରୁଟ ୧୨୧ ରନ କରିଥିଲେ ।