ମୋହାଲିରେ ଭାରତ ବିଶାଳ ବିଜୟ : ଶ୍ରୀଲଙ୍କା ଧରାଶୟୀ, ଇନିଂସ ଓ ୨୨୨ ରନରେ ଜିତିଲା ଭାରତ
ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ବିଶାଳ ଇଂନିସ ଓ ୨୨୨ ରନ୍ରେ ଜିତି ନେଇଛି। ୫ ଦିନର ଏହି ମ୍ୟାଚ୍ ୩ ଦିନରେ ଶେଷ ହୋଇଛି। ପ୍ରଥମ ଇନିଂସରେ ମାତ୍ର ୧୭୪ରନରେ ଅଲଆଉଟ ହୋଇଯାଇଥିବା ଶ୍ରୀଲଙ୍କା ଫଲୋ ଅନ୍ ହୋଇଥିଲା । ଦ୍ବିତୀୟ ଇନିଂସରେ ମଧ୍ୟ ଧରାଶୟୀ ହୋଇଛି ଭ୍ରମଣକାରୀ ଦଳ । ଦ୍ବିତୀୟ ଇନିଂସରେ ମାତ୍ର ୧୭୮ରନରେ ଦଳ ସମସ୍ତ ଓ୍ବିକେଟ ହରାଇଛି । ଫଳରେ ଭାରତ ଏକ ଇନିଂସ ଏବଂ ୨୨୨ରନରେ ପ୍ରଥମ ଟେଷ୍ଟ ଜିତି ନେଇଛି । ଉଭୟ ଇନିଂସରେ କମାଲ କରିଛନ୍ତି ରବୀନ୍ଦ୍ର ଜାଡେଜା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଇନିଂସରେ ୮ ଓ୍ବିକେଟ୍ ହରାଇ ବିଶାଳ ୫୭୪ରନ କରି ପାଳି ସମାପ୍ତି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ହନୁମା ବିହାରୀ (୫୮ରନ୍), ରିଷଭ ପନ୍ତ (୯୬ରନ୍), ରବିଚନ୍ଦ୍ରନ ଅଶ୍ବିନ୍(୬୧) ଅର୍ଦ୍ଧଶତକ ହାସଲ କରିଥିଳେ । ପ୍ରଥମ ଇନିଂସରେ ୧୭୫ରନ୍ର ବିଶାଳ ଅପରାଜିତ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷ କରିଥିଲେ ସାର୍ ଜାଡେଜା । ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରଓ୍ବାଲ ୩୩ରନ୍, ଅଧିନାୟକ ରୋହିତ ଶର୍ମା ୨୯ରନ, ବିରାଟ କୋହଲି ୪୫ରନ, ଶ୍ରେୟସ ଆୟର ୨୭ରନ, ଜୟନ୍ତ ଯାଦବ ୨ ରନ ଏବଂ ମହମ୍ମଦ ସାମୀ ୨୦ରନ କରି ଅପରାଜିତ ଥିଲେ । ୫୭୪ରନର ପିଛା କରିବାକୁ ଯାଇ ଶ୍ରୀଲଙ୍କା ପ୍ରଥମ ଇନିଂସରେ ମାତ୍ର ୧୭୪ ରନରେ ଅଲଆଉଟ ହୋଇଯାଇଥିଲା । ପାଥୁମ୍ ନିଶାଙ୍କା ସର୍ବାଧିକ ୬୧ ରନର ଇନିଂସ ଖେଳିଥିଲେ । ପ୍ରଥମ ଇନିଂସରେ ମଧ୍ୟ ଜାଡେଜା, ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ଜାଡୁ ୧୩ ଓଭରରେ ୪୧ ରନ ଦେଇ ୫ଟି ଓ୍ବିକେଟ ନେଇଥିବା ବେଳେ, ବୁମରାହ ୩୬ରନ ଦେଇ ୨ଟି, ଅଶ୍ବିନ୍ ୪୯ରନ ଦେଇ ୨ଟି ଏବଂ ମହମ୍ମଦ ସାମୀ ୨୭ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ । ଶ୍ରୀଲଙ୍କା ମାତ୍ର ୧୭୪ରନରେ ସମସ୍ତ ଓ୍ବିକେଟ ହରାଇବା ଫଳରେ ଫଲୋଅନ୍ ହୋଇଥିଲା ।
ତେବେ ଦ୍ବିତୀୟ ଇନିଂସରେ ମଧ୍ୟ ଫେଲ ମାରିଥିଲା ସିଂହଳୀ ଦଳ । ମାତ୍ର ୧୭୮ ରନ କରିବାକୁ ସକ୍ଷମ ହୋଇଥିଲା ଭ୍ରମଣକାରୀ ଟିମ୍ । ଦ୍ବିତୀୟ ଇନିଂସରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ ରବୀନ୍ଦ୍ର ଜାଡେଜା । ଦ୍ବିତୀୟ ଇନିଂସରେ ନିରୋସାନ ଡିକ୍ଓ୍ବାଲା ସର୍ବାଧିକ ୫୧ ରନ କରିଥିଲେ । ଭାରତ ପକ୍ଷରୁ ଅଶ୍ବିନ୍ ୪୭ ରନ ଦେଇ ୪ଟି ଓ୍ବିକେଟ୍ ନେଇଥିବା ବେଳେ, ଜାଡେଜା ୪୬ ରନ ଦେଇ ୪ଟି ଏବଂ ମହମ୍ମଦ ସାମୀ ୪୮ରନ ଦେଇ ୨ଟି ଓ୍ବିକେଟ ନେଇଛନ୍ତି । ଉଭୟ ଇନିଂସରେ ଜାଡେଜା ମୋଟ ୯ଟି ଓ୍ବିକେଟ ନେବା ସହିତ ଗୋଟିଏ ଇନିଂସରେ ୧୭୫ ରନ କରିଥିଲେ । ଭାରତ ଏହି ମ୍ୟାଚ୍କୁ ଗୋଟିଏ ଇନିଂସ ଏବଂ ୨୨୨ ରନରେ ଜିତିନେଇଛି ।