୩ୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ, ୭୮ରେ ଅଲଆଉଟ
- ଦୁଇ ଅଙ୍କ ଛୁଇଁପାରିଲେନି ୯ ବ୍ୟାଟ୍ସମ୍ୟାନ୍
ଲିଡ୍ସ : ଲିଡସର ହେଡିଙ୍ଗଲେ ଷ୍ଟାଡିୟମରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ଭାରତୀୟ ଦଳ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରି ୪୦.୪ ଓଭରରେ ଦଳ ମାତ୍ର ୭୮ ରନରେ ଅଲଆଉଟ ହୋଇଯାଇଛି । କୌଣସି ଜଣେ ବି ବ୍ୟାଟ୍ସମ୍ୟାନ୍ ଭଲ ରନ ସ୍କୋର କରିବାକୁ ସକ୍ଷମ ହୋଇ ନାହାନ୍ତି । ରୋହିତ ଶର୍ମା ଏବଂ ରାହାଣେଙ୍କୁ ଛାଡିଦେଲେ ଅନ୍ୟ ବ୍ୟଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି ।
ଭାରତର ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ । କିନ୍ତୁ ରାହୁଲ ଖାତା ଖୋଲିବା ପୂର୍ବରୁ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଯାଇଥିଲେ । ଓପନର ରୋହିତ ଶର୍ମା କିଛି ସମୟ ପଡିଆରେ ଜମି ରହିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଚେତେଶ୍ବର ପୁଜାରା ପୁଣି ଫେଲ ମାରିଛନ୍ତି । ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଯଥାକ୍ରମେ ୧ ଓ ୭ ରନ କରି ଆଉଟ ହୋଇଥିଲେ । ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ କିଛି ସମୟ କ୍ରିଜରେ ଛିଡ଼ା ହୋଇଥିଲେ ବି ଦାୟିତ୍ବହୀନ ସଟ୍ ଖେଳି ମାତ୍ର ୧୮ ରନ କରି ରବିନସନଙ୍କ ବଲରେ ଆଉଟ ହୋଇଥିଲେ । ରାହାଣେଙ୍କ ପରେ ଆସିଥିବା ଭାରତର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ମଧ୍ୟ ନିରାଶ କରିଥିଲେ । ଋଷଭ ପନ୍ତ ୨, ପୂର୍ବ ଟେଷ୍ଟର ହିରୋ ରବୀନ୍ଦ୍ର ଜାଡେଜା ୪ ରନ କରି ହୋଇଛନ୍ତି । ମହମ୍ମଦ ସାମୀ ଏବଂ ଜଶପ୍ରୀତ ବୁମରାହ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଇଶାନ୍ତ ଶର୍ମା ୮ ରନ କରି ନଟଆଉଟ ଥିବାବେଳେ ମହମ୍ମଦ ସିରାଜ ୩ ରନ କରି ଆଉଟ ହୋଇଛନ୍ତି । ଇଂଲଣ୍ଡ ବୋଲର ମାନେ ଆରମ୍ଭରୁ ହିଁ ଭାରତୀୟ ବ୍ୟାଟିଂ ଉପରେ ଭାରି ପଡିଥିଲେ । କୌଣସି ହାତ ଖୋଲା ସଟ୍ ଖେଳିବାକୁ ଦେଇନଥିବା ବେଳେ ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ ନେଇ ଚାଲିଥିଲେ । ଇଂଲଣ୍ଡ ପକ୍ଷରୁ ଅଭିଜ୍ଞ ବୋଲର ଜେମସ୍ ଆଣ୍ଡରସନ ୮ ଓଭର ବୋଲିଂ କରି ୬ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଓଲି ରବିନସନ୍ ୧୦ ଓଭରରେ ୧୬ ରନ ୨ଓ୍ବିକେଟ୍, ସାମ କରନ ୧୦ ଓଭରରେ ୨୭ ରନ ୨ ଓ୍ବିକେଟ୍, ମୋଇନ୍ ଅଲ୍ଲୀ ୨ ଓଭରରେ ୪ ରନ ଏବଂ କ୍ରେଗ୍ ଓଭରଟନ୍ ୧୦.୪ ଓଭରରେ ୧୪ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି ।