୨୦୨୩ରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳିବ ଭାରତୀୟ ମହିଳା କ୍ରିକେଟ ଦଳ
ଜୋହାନର୍ସବର୍ଗ: ମହିଳା ଟି-୨୦ ବିଶ୍ୱକପ -୨୦୨୩ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରି ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣମେଣ୍ଟ ଖେଳିବ । ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ସହ ଭାରତ ଉକ୍ତ ତ୍ରିରାଷ୍ଟ୍ରୀୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବ । ଉକ୍ତ ଟୁର୍ଣ୍ଣାମେଣ୍ଟ ୨୦୨୩ ଜାନୁଆରୀ ୧୯ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ବୁଫାଲୋ ପାର୍କ କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯିବ । ପ୍ରତ୍ୟେକ ଦଳ ବିପକ୍ଷ ଦଳ ସହିତ ୨ଟି ଲେଖାଏଁ ମ୍ୟାଚ ଖେଳିବେ । ଦୁଇ ଶ୍ରେଷ୍ଠ ଦଳ ଫାଇନାଲକୁ ଉନ୍ନୀତ ହେବେ । ଟି-୨୦ ବିଶ୍ୱକପ ୨୦୨୩ ଫେବୃଆରୀ ୧୦ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ଟି-୨୦ ବିଶ୍ୱକପ ପ୍ରସ୍ତୁତି ନେଇ ଏହି ତ୍ରିରାଷ୍ଟ୍ରୀୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏହା ବିଶ୍ୱକପ ପ୍ରସ୍ତୁତିରେ ସହାୟକ ହେବ ବୋଲି କ୍ରିକେଟ ଦକ୍ଷିଣ ଆଫ୍ରିକା ନିର୍ଦେଶକ ଇନ୍ଚି ନେକ୍ୱା କହିଛନ୍ତି ।
ଉକ୍ତ ଟୁର୍ଣ୍ଣାମେଣ୍ଟ କ୍ରିକେଟ ଦକ୍ଷିଣ ଆଫ୍ରିକା, ବିସିସିଆଇ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡର ମିଳିତ ସହଯୋଗରେ ଖେଳାଯିବ । ଭାରତ ଜାନୁଆରୀ ୧୯ରେ ଦକ୍ଷିଣ ଆଫ୍ରିକା, ୨୩ରେ ୱେଷ୍ଟଇଣ୍ଡିଜ, ୨୮ରେ ଦକ୍ଷିଣ ଆଫ୍ରିକା, ୩୦ରେ ୱେଷ୍ଟଇଣ୍ଡିଜ୍ ସହ ମ୍ୟାଚ ଖେଳିବ । ଫେବୃଆରୀ ୨ରେ ଫାଇନାଲ ମ୍ୟାଚ ଖେଳାଯିବ । ସୂଚନା ଯେ, ୱେଷ୍ଟଇଣ୍ଡିଜ୍ ୨୦୧୬ ମହିଳା ଟି-୨୦ ବିଶ୍ୱକପରେ ଚମ୍ପିଆନ ହୋଇଥିବାବେଳେ ଭାରତ ୨୦୨୦ରେ ରନର୍ସ ଅପ ହୋଇଥିଲା ।