ଅଧା ପାଠପଢ଼ାକୁ ପୂରା କରିବା ପାଇଁ ଚୀନ ଯାଇପାରିବେ ଭାରତୀୟ ଛାତ୍ର
ନୂଆଦିଲ୍ଲୀ: ଭାରତୀୟ ଛାତ୍ରଙ୍କୁ ଆଶ୍ଵସ୍ତି । ମହାମାରୀ କରୋନା ଯୋଗୁ ଲଗାଯାଇଥିବା କଟକଣା ପ୍ରାୟ ୨ ବର୍ଷରୁ ଅଧିକ ବିତିଯାଇଥିବାରୁ ଭାରତୀୟ ଛାତ୍ରଙ୍କୁ ଚୀନ ପାଠପଢ଼ା ପାଇଁ ଫେରିବାକୁ ଅନୁମତି ଦେଇଛି । ଏନେଇ ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଓ ଲିଜିୟନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ପାଠପଢ଼ା ପାଇଁ ଚୀନ ଫେରିବାକୁ ନେଇ ଭାରତୀୟ ଛାତ୍ରଙ୍କ ଚିନ୍ତାକୁ ଆମ ଦେଶ ଅଧିକ ମହତ୍ତ୍ୱ ଦେଉଛି । ଅନ୍ୟ ଦେଶର ପିଲାଙ୍କ ଚୀନ ଫେରିବାର ଅନୁଭୂତିକୁ ଆମେ ଭାରତୀୟ ଛାତ୍ରଙ୍କଠାରେ ବ୍ୟକ୍ତ କରିଛୁ । ଭାରତୀୟ ଛାତ୍ରଙ୍କ ଫେରିବା ପାଇଁ କାମ ଆରମ୍ଭ ହୋଇଯାଇଛି । ବାସ୍ତବରେ ଯେଉଁ ଛାତ୍ରଙ୍କୁ ଚୀନ ଆସିବାର ଆବଶ୍ୟକତା ରହିଛି ଭାରତୀୟ ପକ୍ଷକୁ କେବଳ ସେମାନଙ୍କ ସୂଚୀ ପ୍ରଦାନ କରିବାକୁ ପଡ଼ିବ ।
ଭାରତୀୟ ଦୂତାବାସ ଅନୁଯାୟୀ, ମାର୍ଚ୍ଚ ୨୫ରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କ ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବୈଠକ ପରେ ଚୀନ ଭାରତୀୟ ଛାତ୍ରଙ୍କ ଫେରିବା ଉପରେ ବିଚାର କରିବାକୁ ଚୀନ ଇଚ୍ଛା ପ୍ରକାଶ କରିଛି। ଛାତ୍ରଙ୍କୁ ମେ ୮ ପର୍ଯ୍ୟନ୍ତ ଫର୍ମ ମାଧ୍ୟମରେ ସମସ୍ତ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଚୀନରେ ଡାକ୍ତରୀ ପଢୁଥିବା ୨୩ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବା ନେଇ ଅନୁମତି ଦେବାକୁ ଭାରତ ଚୀନ ଉପରେ ଚାପ ପକାଇଥିଲା। ଏହି କ୍ରମରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତ ମାସରେ ଚୀନ ପ୍ରତିପକ୍ଷ ଓ୍ଵାଙ୍ଗ ଓ୍ଵିଙ୍କ ନୂଆଦିଲ୍ଲୀ ଯାତ୍ରା ସମୟରେ ଏହି ପ୍ରସଙ୍ଗକୁ ଉଠାଇଥିଲେ। ଏହି ଛାତ୍ରମାନଙ୍କ ମଧ୍ୟରେ ଅଧିକାଂଶ ଚୀନ କଲେଜରେ ମେଡିକାଲ ପଢୁଛନ୍ତି।
ଏହା ପୂର୍ବରୁ ଫେବୃଆରୀରେ ଚୀନ କୋଭିଡ୍-୧୯ ମହାମାରୀକୁ ନେଇ ଭିସା କଟକଣାକୁ ଆହୁରି କଡାକଡି କରିଥିଲା। ଏହି କାରଣରୁ ଭାରତରେ ଥିବା ୨୩ ହଜାରରୁ ଅଧିକ ଭାରତୀୟ ଛାତ୍ର ଚୀନକୁ ଫେରି ପାରିନଥିଲେ। ଏବେ କେମିତି ସେମାନେ ଶୀଘ୍ର ଚୀନ ଯାଇ ପାଠପଢା ଜାରି ରଖିବେ ତାର ବ୍ୟବସ୍ଥା କରିବାକୁ ଚୀନ ପ୍ରତିଶ୍ରୁତି ଦେଇଛି। ଏଥିସହ ଚୀନ ଭାରତକୁ ଆଶ୍ଵାସନା ଦେଇଥିଲା ଯେ, ଭାରତୀୟ ଛାତ୍ରଙ୍କ ସହ କୌଣସି ପ୍ରକାରର ଭେଦଭାବ କରାଯିବ ନାହିଁ। କାରଣ ସେମାନଙ୍କର ପାଠପଢା ପୁଣି ଥରେ ଆରମ୍ଭ କରାଇବାରେ କୌଣସି ରାଜନୈତିକ ପ୍ରସଙ୍ଗ ନାହିଁ।