ଟି-୨୦ ବିଶ୍ୱକପ ପୂର୍ବରୁ ବଦଳିବେ ଭାରତୀୟ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିବ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ଭାରତୀୟ ଦଳ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିବ । ଗତ ବର୍ଷ ଟି-୨୦ ବିଶ୍ୱକପରେ ଭାରତୀୟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେହିପରି ନିକଟ ଅତୀତରେ ଖେଳାଯାଇଥିବା ଏସିଆ କପ ୨୦୨୨ରେ ଭାରତୀୟ କ୍ରିକେଟ ଦଳର ନିରାଶାଜନକ ପ୍ରଦର୍ଶନ ଥିଲା । ଏହି ସମୟରେ ଭାରତୀୟ ଦଳ ସହ ଜଡିତ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ପୁଣି ଥରେ ଭାରତୀୟ ଦଳର କମାଣ ରୋହିତ ଶର୍ମାଙ୍କ ବଦଳରେ ଅନ୍ୟ କୌଣସି ଖେଳାଳିଙ୍କ ହାତରେ ରହିବ ।
ଆଗାମୀ ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକଦିବସୀୟ ସିରିଜ ଅନୁଷ୍ଠିତ ହେବ । ଏହି ସିରିଜରେ ଶିଖର ଧୱନ ଭାରତୀୟ ଦଳର ଅଧିନାୟକ ହୋଇପାରନ୍ତି । ଖବର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ବିସିସିଆଇ ସୂତ୍ରରୁ ପ୍ରଦାନ କରିଛି । ଏହି ସିରିଜରେ ଭାରତର ସେହି ସମସ୍ତ ଖେଳାଳିଙ୍କୁ ବିଶ୍ରାମ ପ୍ରଦାନ କରାଯିବ, ଯେଉଁମାନେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଦଳରେ ସାମିଲ । ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଖେଳାଳି ଦଳର ଅଂଶ ହେବେ ନାହିଁ ।
ଏହି ପରିସ୍ଥିତିରେ ଶିଖର ଧୱନ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି । ଏହା ବ୍ୟତୀତ ଭିଭିଏସ୍ ଲକ୍ଷ୍ମଣଙ୍କୁ ଏହି ସିରିଜରେ ଭାରତର କୋଚ୍ କରାଯାଇପାରେ । ଏହା ପୂର୍ବରୁ ମଧ୍ୟ ଆବଶ୍ୟକତା ସମୟରେ ଲକ୍ଷ୍ମଣ ଭାରତୀୟ ଦଳର କୋଚ୍ ହୋଇସାରିଛନ୍ତି । ସେପ୍ଟେମ୍ୱର ୨୮ରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଭାରତ ଗସ୍ତ ଆରମ୍ଭ ହେବ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ଆଜ୍ଞା ହଁ, ଟି-20 ବିଶ୍ୱକପ ପୂର୍ବରୁ ଦିନିକିଆ ସିରିଜ ହେବା ଠିକ ନୁହେଁ । କିନ୍ତୁ ବେଳେବେଳେ ଏହା ଏହିପରି ହୋଇଯାଏ । ରୋହିତ ଶର୍ମା, ବିରାଟ କୋହଲି ଏବଂ ଟି-20 ବିଶ୍ୱକପ ପାଇଁ ଯାଉଥିବା ସମସ୍ତ ଖେଳାଳିଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯିବ । ଅଷ୍ଟ୍ରେଲିଆ ଯିବା ପୂର୍ବରୁ ସେମାନଙ୍କୁ ଅଳ୍ପ ସମୟ ପାଇଁ ଆରାମ ମିଳିବ । ଶିଖର ଧୱନ ଏକଦିବସୀୟ ଦଳର ଅଧିନାୟକ ହେବେ ।”
ସୂଚନା ଯେ, ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଭାରତ ସେପ୍ଟେମ୍ବର ୨୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ । ପ୍ରଥମ ଟି-୨୦ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଥିରୁବନନ୍ତପୁରମରେ ଅନୁଷ୍ଠିତ ହେବ । ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଗୁଆହାଟୀରେ ଖେଳାଯିବ ଏବଂ ଅକ୍ଟୋବର ୪ରେ ଇନ୍ଦୌରରେ ଶେଷ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ । ଅକ୍ଟୋବର ୬ରୁ ଦିନିକିଆ ସିରିଜ୍ ଲକ୍ଷ୍ନୌରୁ ଆରମ୍ଭ ହେବ । ଏହି ସିରିଜରେ ଶିଖର ଧୱନ ଭାରତର ଅଧିନାୟକ ହେବେ । ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୯ରେ ରାଞ୍ଚିରେ ଏବଂ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୧ରେ ଦିଲ୍ଲୀରେ ଖେଳାଯିବ ।