ସଶକ୍ତ ହେବ ଭାରତୀୟ ବାୟୁସେନା, ମିଳିବ ଏକେ-୧୦୩ ରାଇଫଲ
- ଖୁବଶୀଘ୍ର ଋଷଠାରୁ ୭୦ହଜାର ଏକେ-୧୦୩ ରାଇଫଲ କିଣିବ ଭାରତୀୟ ବାୟୁସେନା
ନୂଆଦିଲ୍ଲୀ : ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ବାୟୁସେନା ଋଷଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି । ଫଳରେ ଅଧିକ ସଶକ୍ତ ହେବ ଭାରତୀୟ ବାୟୁସେନା। ଏହି ରାଇଫଲ ସେନା ନିକଟରେ ଥିବା ଇନସାସ ରାଇଫଲ ସ୍ଥାନରେ ବ୍ୟବହାର କରାଯିବ । ଆଗାମୀ କିଛିମାସ ମଧ୍ୟରେ ଭାରତୀୟ ବାୟୁସେନାକୁ ଏହି ରାଇଫଲ ମିଳିବାକୁ ଯାଉଛି ।
ଜାତୀୟ ଗଣମାଧ୍ୟମ ମୁତାବକ ଏବେ ଭାରତୀୟ ସେନାକୁ ପାଖାପାଖି ୧.୫ ଲକ୍ଷ ନୂଆ ରାଇଫଲର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଭାରତ ଋଷଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି । ଏନେଇ ଜରୁରୀକାଳୀନ ବ୍ୟବସ୍ଥା ମାଧ୍ୟମରେ ପୂର୍ବ ସପ୍ତାହରେ ୩୦୦ କୋଟି ଟଙ୍କାର ଚୁକ୍ତି ଋଷ ସହିତ କରାଯାଇଛି । ଏହି ରାଇଫଲ ଆସିବା ପରେ ଏହାକୁ ପ୍ରଥମେ ଜମ୍ମୁ-କଶ୍ମୀର, ଶ୍ରୀନଗର ଭଳି ସମ୍ବେଦନଶୀଳ ସ୍ଥାନରେ କାମ କରୁଥିବ ଯବାନମାନଙ୍କୁ ଯୋଗାଇ ଦିଆଯିବ । ଅନ୍ୟପଟେ ଋଷ ଦ୍ୱାରା ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ରାଇଫଲ ଏକେ -୨୦୩ ପାଇଁ ବି ଭାରତ ଋଷ ସହିତ ଚୁକ୍ତି କରିବ ବୋଲି ଜଣାପଡିଛି। ସୂଚନା ଯେ, ୨୦୧୯ ମସିହାରେ ଋଷ ସହିତ ଉତ୍ତରପ୍ରଦେଶରେ ଥିବା ଅଡିନାନ୍ସ ଫ୍ୟାକ୍ଟ୍ରିର କୋରବା ପ୍ଲାଣ୍ଟ ୭.୫ ଲକ୍ଷ ଏକେ-୨୦୩ ରାଇଫଲ ତିଆରି କରିବାକୁ ଚୁକ୍ତି କରିଥିଲା । ହେଲେ ଏହି ପ୍ଲାଣ୍ଟ ଏପର୍ଯ୍ୟନ୍ତ କାମ ଆରମ୍ଭ କରିନାହିଁ । ଏହି କାରଣରୁ ଭାରତ ଏବେ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଋଷ ସହିତ ଚୁକ୍ତି କରିଛି । ଏହା ପୂର୍ବରୁ ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦକୁ ନେଇ ଭାରତ ଆମେରିକାଠାରୁ ୧.୪୪ ଲକ୍ଷ ଏସଆଇଜି ରାଇଫଲ କିଣିଥିଲା ।