ପ୍ରଥମ ଟି-୨୦ : ୩୮ ରନ୍ରେ ଜିତିଲା ଭାରତ
କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋ ସ୍ଥିତ ଆର୍ ପ୍ରେମ୍ଦାସା ଷ୍ଟାଡିୟମରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଏଥିରେ ୩୮ ରନ୍ରେ ବିଜୟୀ ହୋଇଛି ଶିଖର ସେନା। ୧୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସହ ୧୮.୩ ଓଭରରେ ଅଲଆଉଟ୍ ହୋଇଛି । ୧୨୬ ରନ୍ କରି ଦଳ ଚିତପଟାଙ୍ଗ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ୍ ହରାଇ ୧୬୪ ରନ ସଂଗ୍ରହ କରିଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମାତ୍ର ୩୪ ବଲରୁ ୫ ଚୌକା ଏବଂ ୨ଟି ଛକା ସହାୟତାରେ ୫୦ ରନ କରି ଆଉଟ ହୋଇଥିଲେ । ଭାରତ ପକ୍ଷରୁ ଓପନର୍ ପୃଥ୍ବୀ ସ’ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଇଂନିସର ପ୍ରଥମ ବଲରେ ହିଁ ପ୍ୟାଭିଲିୟନ ଫେରିଥିଲେ ପୃଥ୍ବୀ । ଅପରପକ୍ଷେ ଅଧିନାୟକ ଶିଖର ଧାଓ୍ବନ ଦମଦାର ବ୍ୟାଟିଂ କରି ୩୬ ବଲରେ ୪ ଚୌକା ଏବଂ ଗୋଟି ଛକା ସହାୟତାରେ ୪୬ ରନ କରି ଆଉଟ ହୋଇଥିଲେ । ସେହିଭଳି ସଞ୍ଜୁ ସାମସନ ୨୦ ବଲରୁ ୨୭ ହାର୍ଦ୍ଧିକ ପାଣ୍ଡ୍ୟା ୧୨ ବଲରୁ ୧୦ ରନ କରି ଆଉଟ ହୋଇଥିଲେ । ଇଶାନ କିଶନ ୨୦ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୩ ରନ କରି ଅପରାଜିତ ଥିଲେ ।