ଟି-୨୦ରେ ପ୍ରଥମଥର ପାଇଁ ବିଦେଶରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ବିଜୟୀ
ଚତୁର୍ଥ ଟି-୨୦କୁ ୫୯ ରନରେ ଜିତିଲା ରୋହିତ ବାହିନୀ
୩-୧ରେ ସିରିଜ ବିଜୟୀ, ଆଜି ଅନ୍ତିମ ମ୍ୟାଚ୍
ଫ୍ଲୋରିଡା : ଆମେରିକାର ଫ୍ଲୋରିଡା ସ୍ଥିତ ଲାଉଡରହିଲର ସେଣ୍ଟ୍ରାଲ ବ୍ରୋଓ୍ଵାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ଚତୁର୍ଥ ଟି-୨୦କୁ ୫୯ ରନରେ ଜିତି ନେଇଛି ରୋହିତ ବାହିନୀ। ଏହି ମ୍ୟାଚ ବିଜୟ ସହ ସିରିଜ୍କୁ ୩-୧ରେ ଜିତିନେଇଛି ଭ୍ରମଣକାରୀ ଭାରତ । ଫଳସ୍ୱରୂପ ରବିବାର ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ୍ଟି ଗୌଣ ହୋଇଯାଇଛି । ସେହିପରି ଟି-୨୦ରେ ପ୍ରଥମଥର ପାଇଁ ବିଦେଶରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ବିଜୟୀ ହୋଇଛି ।
ଟସ ଜିତି ୱେଷ୍ଟଇଣ୍ଡିଜ୍ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୧ ରନ କରିଥିଲା। ଭାରତର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ମାତ୍ର ୪.୪ ଓଭର୍ରେ ୫୩ ରନ୍ ଯୋଡ଼ିଥିଲେ । ତେବେ ରୋହିତ ୨ଟି ଚୌକା ଓ ୩ଟି ଛକା ଜରିଆରେ ୩୩ ରନ୍ କରି ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଗୋଟିଏ ଚୌକା ଓ ୨ଟି ଛକା ସହ ୨୪ ରନ୍ରେ ପ୍ୟାଭିଲିୟନ୍ ଫେରିଥିଲେ । ଦୀପକ ହୁଡ୍ଡା ଓ ୱିକେଟ୍କିପର -ବ୍ୟାଟ୍ସମ୍ୟାନ ଋଷଭ ପନ୍ତ୍ଙ୍କ ମଧ୍ୟରେ ୪୭ ରନ୍ର ଭାଗୀଦାରୀ ହେବା ପରେ ଭାରତ ତୃତୀୟ ୱିକେଟ୍ ହରାଇଥିଲା । ହୁଡ୍ଡା ୨ଟି ଚୌକା ଜରିଆରେ ୨୧ ରନ୍ କରି ଆଉଟ୍ ହୋଇଥିଲେ । ପନ୍ତ ଓ ସଞ୍ଜୁ ସାମ୍ସନ୍ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ରେ ୩୮ ରନ୍ର ଭାଗୀଦାରୀ ହୋଇଥିଲା । ପନ୍ତ୍ ୩୧ଟି ବଲ୍ ଖେଳି ୬ଟି ଚୌକା ଜରିଆରେ ୪୪ ରନ୍ କରି ଆଉଟ୍ ହୋଇଥିଲେ ହେଁ ସାମ୍ସନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ସେ ୨ଟି ଚୌକା ଓ ଗୋଟିଏ ଛକା ସହ ୩୦ ରନ୍ କରିଥିବା ବେଳେ ଅକ୍ଷର ପଟେଲ୍ ମାତ୍ର ୮ଟି ବଲ୍ରେ ଅପରାଜିତ ୨୦ ରନ୍ କରିଥିଲେ । ସେ ଗୋଟିଏ ଚୌକା ଓ ୨ଟି ଛକା ଲଗାଇବା ସହ ଷଷ୍ଠ ୱିକେଟ୍ରେ ସାମ୍ସନ୍ଙ୍କ ସାଥୀରେ ଅବିଭାଜିତ ୨୭ ରନ୍ ଯୋଡ଼ିଥିଲେ । ଦୀନେଶ କାର୍ତ୍ତିକ ମାତ୍ର ୬ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଇଣ୍ଡିଜ୍ ପକ୍ଷରୁ ଓବେଦ୍ ମ୍ୟାକ୍କୟ ଓ ଆଲ୍ଜାରି ଜୋସେଫ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
୧୯୨ ରନର ପିଛା କରି ଓ୍ବେଷ୍ଟଇଣ୍ଡିଜ ୧୯.୧ ଓଭର୍ରେ ମାତ୍ର ୧୩୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟାର୍ଗେଟକୁ ନେଇ ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ବଡ଼ ସ୍କୋର କରିପାରିନଥିଲେ । ଓପନର ଭାବେ କିଙ୍ଗସ ୧୩ ଓ ମେୟର୍ସ ୧୪ ରନ କରିଥିଲେ । ପୂରନ ୨୪ ରନ୍ ଏବଂ ପାଓ୍ବେଲ ୨୪ ରନ କରି ଆଉଟ ହୋଇଥିଲେ । ପୂରନ୍ ଗୋଟିଏ ଚୌକା ଓ ୩ଟି ଛକା ଏବଂ ପାୱେଲ୍ ଗୋଟିଏ ଚୌକା ଓ ୨ଟି ଛକା ଲଗାଇଥିଲେ । ଏହାଛଡ଼ା ଶିମରୋନ୍ ହେଟମେୟର୍ ୨ଟି ଚୌକା ଓ ଗୋଟିଏ ଛକା ସହ ୧୯ ରନ୍ କରିଥିଲେ । ହୋଲଡର ୧୩ ରନ କରି ଆଉଟ ହୋଇଥିଲେ । ବଡ଼ ସ୍କୋର ପିଛା କରି ଓ୍ବେଷ୍ଟ ଇଣ୍ଡିଜ ଅଲଆଉଟ ହୋଇଥିଲା । ଇଣ୍ଡିଆ ପକ୍ଷରୁ ଆଭେସ ଖାନ ୨ଟି ଉଇକେଟ ନେଇଥିବା ବେଳ ଅକ୍ଷର ପଟେଲ ୨ଟି ଉଇକେଟ ନେଇଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ଉଇକେଟ ନେଇଥିବା ବେଳେ ଅଭେଶ ଖାନ୍, ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।