ଭାରତରେ ହେବ ପ୍ରଥମ କିନ୍ନର ଗଣନା
ନୋଏଡ଼ା : ଭାରତରେ ହେବ ପ୍ରଥମ କିନ୍ନର ଗଣନା । ଉତ୍ତର ପ୍ରଦେଶର ସମାଜ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟରେ କିନ୍ନର ଜନଗଣନା ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାରଙ୍କ ସମ୍ମତି କ୍ରମେ କାର୍ଯ୍ୟକାରୀ ହେଲେ ଏହା ହେବ ଦେଶର ପ୍ରଥମ କିନ୍ନର ଜନଗଣନା । ଖୁବଶୀଘ୍ର ଜନଗଣନା ତାରିଖ ସ୍ଥିର ହେବା ଆଶା କରାଯାଉଛି।
ଉତ୍ତର ପ୍ରଦେଶରେ କିନ୍ନରଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ । ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଥିବାରୁ ଅଧିକାଂଶ କିନ୍ନରଙ୍କ ଜୀବିକାର୍ଜନର ପନ୍ଥା ସୀମିତ ରହିଛି । ସ୍ୱତନ୍ତ୍ର ଜନଗଣନା ପରେ କିନ୍ନରମାନଙ୍କ ନାମ ୟୁଆଇଡି ( ଆଧାର କାର୍ଡ)ରେ ପଞ୍ଜୀକୃତ ହେବ। ରାଜ୍ୟର ୭୫ ଜିଲ୍ଲାରେ ଏହି କାର୍ଯ୍ୟ ସମ୍ପାଦନପୂର୍ବକ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏହି ‘ ବଞ୍ଚିତ ବର୍ଗ’ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଲାଗୁ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଗଣନା ସର୍ବାଦୌ ଆବଶ୍ୟକ ବୋଲି କୁହାଯାଇଛି ।