ଭାରତର ଷ୍ଟିଲ ଇଣ୍ଡଷ୍ଟ୍ରୀ ଦୁନିଆର ସବୁଠୁ ବଡ଼ ମେନୁଫେକଚରିଂ ହବ୍ ହେବାକୁ ଯାଉଛି : ପ୍ରଧାନମନ୍ତ୍ରୀ
ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ହଜୀରାରେ ୬୦ ହଜାର କୋଟି ଟଙ୍କା ଲଗାଣରେ ଅର୍ସିଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆର ବିସ୍ତାର ପରିଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେଠାକାର ଜନତାଙ୍କୁ ଶୁଭକାମନା ଜଣାଇବା ସହ ମୋଦୀ କହିଛନ୍ତି ଯେ, ଏହି ଷ୍ଟିଲ ପ୍ଲାଣ୍ଟର ବିସ୍ତାର ବଳରେ ନିବେଶ ସହ ଭବିଷ୍ୟତ ଲାଗି ନୂଆ ସମ୍ଭାବନାର ଦ୍ୱାର ଖୋଲିବ । ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ରୋଜଗାରର ଅବସର ସୃଷ୍ଟି ହେବ । ଭାରତ ଦୁନିଆର ସବୁଠୁ ବଡ଼ ମେନୁଫେକଚରିଂ ହବ୍ ହେବା ଦିଗରେ ଆଗକୁ ବଢ଼ୁଛି । ସରକାର ଏହି ସେକ୍ଟରର ବିକାଶରେ ଆବଶ୍ୟକ ନୀତି ପ୍ରସ୍ତୁତ କରିବା ଲାଗି ମଧ୍ୟ ତତ୍ପରତା ସହ କାମ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଦେଶରେ ଷ୍ଟିଲ ସେକ୍ଟର ମଜଭୂତ ହେଲେ ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହେବ । ଷ୍ଟିଲ ସେକ୍ଟରରେ ଉନ୍ନତି ହେଲେ ରାସ୍ତା, ରେଳ, ଏୟାରପୋର୍ଟ ଓ ବନ୍ଦରାଗାରର ମଧ୍ୟ ବିକାଶ ହେବ । ଗତ ୮ ବର୍ଷ ହେବ ସମସ୍ତଙ୍କ ପ୍ରୟାସ ବଳରେ ଭାରତର ଷ୍ଟିଲ ଇଣ୍ଡଷ୍ଟ୍ରୀ ଦୁନିଆର ସବୁଠୁ ବଡ଼ ଷ୍ଟିଲ ଉତ୍ପାଦକ ଇଣ୍ଡଷ୍ଟ୍ରୀ ହୋଇପାରିଛି । ଏହି ଇଣ୍ଡଷ୍ଟ୍ରୀରେ ବିକାଶର ଅପାର ସମ୍ଭାବନା ରହିଛି ।