ଭାରତ-ଶ୍ରୀଲଙ୍କା ଟେଷ୍ଟ ! ରୋହିତଙ୍କ ସହ ଏହି ଖେଳାଳି ଆରମ୍ଭ କରିବେ ପାଳି
ନୂଆଦିଲ୍ଲୀ : କ୍ରିକେଟ୍ରେ କୌଣସି ଟିମ୍ ପାଇଁ ଓପନିଂ ଜୋଡି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ସେମାନେ ହିଁ ଟିମ୍କୁ ଭଲ ଫଳ ଦେବାରେ ସହାୟକ ହୋଇଥାନ୍ତି। ଭାରତ ଅନେକ ଓପନିଂ ଯୋଡ଼ି ଦେଖିଛି। ସଚିନ-ସେହୱାଗ, ଗାଙ୍ଗୁଲି-ସଚିନ ଓ ଶେଖର-ରୋହିତ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଶିଖର ଧୱନଙ୍କୁ ସ୍ଥାନ ମିଳିନାହିଁ। କେଏଲ ରାହୁଲଙ୍କୁ ଟେଷ୍ଟ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। ତେଣୁ ରୋହିତ ଶର୍ମାଙ୍କ ସହିତ ଭାରତର ପାଳି କିଏ ଆରମ୍ଭ କରିବେ, ସେ ନେଇ ଚର୍ଚ୍ଚା ହେଉଛି। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପୂର୍ବରୁ ଚର୍ଚ୍ଚା ହେଉଛି ଯେ, ରୋହିତ ଶର୍ମାଙ୍କ ସହିତ ଶୁଭମନ ଗିଲ ଓପନିଂ କରିବେ ନାହିଁ। ଯାହା ଆଶା କରାଯାଉଛି ରୋହିତଙ୍କ ସହିତ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିପାରନ୍ତି।
ରୋହିତ ଶର୍ମାଙ୍କ ସହିତ ଭାରତର ପାଳି ଆରମ୍ଭ କରିଥିବା ମୟଙ୍କ ଅଗ୍ରୱାଲଙ୍କ ଯୋଗୁଁ ଅତୀତରେ ଭାରତ ଅନେକ ମ୍ୟାଚ ଜିତିଛି। ମୟଙ୍କ ଅଗ୍ରୱାଲଙ୍କ ପାଖରେ ଅଭିଜ୍ଞତା ଅଛି ଏବଂ ସେ ଯେକୌଣସି ପଡ଼ିଆରେ ଭଲ ରନ୍ ସଂଗ୍ରହ କରିବାର ଦକ୍ଷତା ରଖିଛନ୍ତି। ସେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପନିଂ କରିଥିଲେ। ମୟଙ୍କ ଅଗ୍ରୱାଲଙ୍କୁ ଯେତେବେଳେ ବି ଭାରତୀୟ ଟିମ୍ରେ ସ୍ଥାନ ମିଳିଛି, ସେ ବଡ଼ ବଡ଼ ଇନିଂ ଖେଳିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶତକ ହାସଲ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ବିରୋଧୀ ଦଳର ବୋଲରମାନଙ୍କର ଚିନ୍ତା ବଢ଼ାଇ ଦେଇଥାଏ। ଆଇପିଏଲରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଛନ୍ତି। ସୂଚନା ଯେ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ୪ ତାରିଖ ଠାରୁ ପଞ୍ଜାବର ମୋହାଲି ଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ।