ଭାରତ-ସାଉଥ୍ ଆଫ୍ରିକା ପ୍ରଥମ ଟେଷ୍ଟ୍ : ବର୍ଷାରେ ଧୋଇଗଲା ଦ୍ୱିତୀୟ ଦିନ
ସେଞ୍ଚୁରିଅନ୍ : ରବିବାର ଠାରୁ ଏଠାକାର ସୁପର୍ସ୍ପୋର୍ଟ୍ସ ପାର୍କଠାରେ ଆରମ୍ଭ ହୋଇଥିବା ଭାରତ-ସାଉଥ୍ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ର ପ୍ରଥମ ମୁକାବିଲାରେ ବର୍ଷା ବାଧକ ହୋଇଛି । ପ୍ରଥମ ଦିନରେ ଭାରତ ୩ଟି ୱିକେଟ୍ ହରାଇ ୨୭୨ ରନ୍ କରି ବେଶ୍ ମଜଭୁତ ସ୍ଥିତିରେ ରହିଥିଲା । ତେବେ ସୋମବାର ଦ୍ୱିତୀୟ ଦିନରେ ବର୍ଷା କାରଣରୁ କୌଣସି ଖେଳ ସମ୍ଭବପର ହୋଇପାରିନାହିଁ । ସୋମବାର ସକାଳୁ କ୍ରମାଗତ ଭାବେ ବର୍ଷା ଜାରି ରହିବାରୁ ଗୋଟିଏ ବି ବଲ୍ ପଡ଼ିପାରିନାହିଁ । ସେଞ୍ଚୁରିଅନ୍ରେ ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଥମେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ପରେ ଏହାର ଗତି ବଢ଼ିଥିଲା । ଅବଶ୍ୟ ଦିନରେ ଦୁଇ ଥର ବର୍ଷା ବନ୍ଦ ହୋଇଯାଇଥିଲା । ଅମ୍ପାୟାର୍ ପିଚ୍ ଓ ପଡ଼ିଆ ଅନୁଧ୍ୟାନ ପାଇଁ ସମୟ ମଧ୍ୟ ଧାର୍ଯ୍ୟ କରିଥିଲେ । କିନ୍ତୁ ସେମାନେ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ପୁଣିଥରେ ବର୍ଷା ଆରମ୍ଭ ହୋଇଯାଇଥିଲା ଓ ଶେଷରେ ଦ୍ୱିତୀୟ ଦିନରେ ଖେଳାଯିବାକୁ ଥିବା ୯୦ ଓଭର୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା ।
ପ୍ରଥମ ଦିନରେ ଭାରତ ବେଶ୍ ମଜଭୁତ ସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ମ୍ୟାଚ୍ରେ ଆଉ ତିନି ଦିନ ବାକି ଥିବାରୁ ବ୍ୟାଟ୍ସମ୍ୟାନ୍ମାନଙ୍କୁ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ପ୍ରଥମ ଇନିଂସ ଘୋଷଣା କରିବାକୁ ପଡ଼ିବ । ରାହୁଲ୍ ଦ୍ରାବିଡଙ୍କ ପ୍ରଶିକ୍ଷଣରେ ସାଉଥ୍ ଆଫ୍ରିକାରେ ପହଞ୍ଚିଥିବା ବିରାଟ କୋହଲି ବାହିନୀ ପ୍ରଥମ ଥର ପାଇଁ ସିରିଜ୍ ବିଜୟ ଲକ୍ଷ୍ୟ ରଖିଥିଲେ ହେଁ ବର୍ଷା ଏଥିରେ କେତେଦୂର ବାଧା ସୃଷ୍ଟି କରିପାରୁଛି, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ । ବର୍ଷା ଯୋଗୁଁ ସୋମବାରର ଖେଳ ବାତିଲ୍ ହେବା ପରେ ବିସିସିଆଇ ପକ୍ଷରୁ ଟ୍ୱିଟର୍ ମାଧ୍ୟମରେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ସେହିପରି କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍ଏ) ପକ୍ଷରୁ ମଧ୍ୟ ଟ୍ୱିଟର୍ ମାଧ୍ୟମରେ ସମାନ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଟସ୍ ଜିତି ଭାରତ ପ୍ରଥମ ଦିନରେ ବ୍ୟାଟିଂ କରି ଷ୍ଟମ୍ପ୍ ଅପସାରଣ ବେଳକୁ ଓପନର ଲୋକେଶ ରାହୁଲ୍ ୨୪୮ ବଲ୍ ଖେଳି ୧୨୨ ରନ୍ କରିଥିଲେ । ଏହାଛଡ଼ା ଅନ୍ୟ ଏଣ୍ଡ୍ରେ ତାଙ୍କ ସହ ପୂର୍ବତନ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୮୧ଟି ବଲ୍ର ସମ୍ମୁଖୀନ ହୋଇ ୪୦ ରନ୍ କରିଥିଲେ । ଏହାଛଡ଼ା ରାହୁଲ୍ଙ୍କ ଓପନିଂ ଯୋଡ଼ିଦାର ମୟଙ୍କ ଅଗରୱାଲ୍ ୧୨୩ ବଲ୍ ଖେଳି ୬୦ ରନ୍ କରିଥିବା ବେଳେ ଅଧିନାୟକ କୋହଲି ୯୪ ବଲରେ ୩୫ ରନ୍ କରିଥିଲେ । ଆହୁରି ଚେତେଶ୍ୱର ପୂଜାରା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ନିଜର ଦୁର୍ବଳ ଫର୍ମ ଜାରି ରଖିଥିଲେ । ପ୍ରତିପକ୍ଷ ସାଉଥ୍ ଆଫ୍ରିକା ପାଇଁ ପେସର୍ ଲୁଙ୍ଗି ଏନ୍ଗିଡି ସଫଳ ବୋଲର୍ ଭାବେ ସମସ୍ତ ୱିକେଟ୍ ହାସଲ କରିଥିଲେ ।