ଚୀନ ନାଗରିକଙ୍କ ପର୍ଯ୍ୟଟକ ଭିସା ରଦ୍ଦ କଲା ଭାରତ
ନୂଆଦିଲ୍ଲୀ : ଚୀନକୁ ପୁଣି ଥରେ ତାରି ଭାଷାରେ ଜବାବ ଦେଇଛି ଭାରତ । ବୈଶ୍ୱିକ ଏୟାରଲାଇନ୍ସ ସଂଗଠନ ( ଆଇଏଟିଏ)ର ସୂଚନା ଅନୁସାରେ, ଭାରତ ଚୀନ ନାଗରିକଙ୍କ ପର୍ଯ୍ୟଟନ ଭିସାକୁ ରଦ୍ଦ କରିଛି । ତେବେ ଏବେ ବି ଚୀନର ନାଗରିକଙ୍କୁ ବ୍ୟବସାୟ, ରୋଜଗାର, କୂଟନୈତିଜ୍ଞ ଏବଂ ସରକାରୀ ଭିସା ଜାରି ରହିବ । ଉଲ୍ଲେଖଯୋଗ୍ୟ ଯେ, ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବା ପାଇଁ ଚୀନ ଅନୁମତି ଦେଉନାହିଁ । ଯାହାର ପ୍ରତିଜବାବରେ ଭାରତ ଚୀନ ନାଗରିକଙ୍କ ପର୍ଯ୍ୟଟକଙ୍କ ଭିସା ରଦ୍ଦ କରିବାକୁ ନିଷ୍ପତି ନେଇଛି । କରୋନା ପାଇଁ ଚୀନରୁ ପ୍ରାୟ ୨୦ ହଜାର ଭାରତୀୟ ନାଗରିକ ଭାରତ ଫେରି ଆସିଥିଲେ, କିନ୍ତୁ ଏବେ ପାଠ ପଢା ଶେଷ କରିବା ପାଇଁ ଚୀନକୁ ଅନୁମତି ମାଗିଛନ୍ତି । କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କ ଭିସା ୱେଟିଂରେ ରହିଛି । ଅନ୍ୟପଟେ ଥାଇଲ୍ୟାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କାର ଛାତ୍ରଙ୍କୁ ଫେରିବା ପାଇଁ ଅନୁମତି ଦେବା ପରେ ବି ଭାରତର ଛାତ୍ରଙ୍କୁ ୱେଟିଂ ଲିଷ୍ଟରେ ରଖିଛି ।
ମାମଲାରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଗତ ମାସରେ ଭାରତ ଗସ୍ତରେ ଆସିଥିବା ନିଜ ସମକକ୍ଷ ୱାଙ୍ଗ ୟିଙ୍କ ସହ ଏହି ପ୍ରସଙ୍ଗ ବାବଦରେ ଆଲୋଚନା କରିଥିଲେ । କିନ୍ତୁ ବେଜିଂ ବର୍ତମାନ ସୁଦ୍ଧା ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ୟୁକେ ଏବଂ କାନାଡାର ନାଗରିକ ମଧ୍ୟ ଇ-ପର୍ଯ୍ୟଟକ ଭିସାରେ ଭାରତ ଆସିପାରିବେ ନାହିଁ । କିନ୍ତୁ ଏହି ଦେଶରେ ଭାରତୀୟ ମିଶନ ଦ୍ୱାରା ଜାରି ନିୟମିତ ପେପର ଭିସାରେ ଏଠାକାର ନାଗରିକକୁ ଭାରତ ଆସିବାକୁ ଅନୁମତି ରହିଛି । ଅନ୍ୟପଟେ ଜାପାନ ଏବଂ ଆମେରିକାର ନାଗରିକଙ୍କୁ ଜାରି କରାଯାଇଥିବା ଭାସକୁ ଛାଡି ୧୦ ବର୍ଷର ବୈଧତା ଥିବା ଭାରତୀୟ ପର୍ଯ୍ୟଟକ ଭିସା ଏବେ ବୈଧ ରହିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଭାରତ ଦୁଇ ବର୍ଷ ପରେ ଗତ ମାର୍ଚ୍ଚ ୨୭ ତାରିଖରେ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ ହେବା ପରେ ୧୫୬ ଦେଶକୁ ଇଲେକଟ୍ରୋନିକ୍ସ ପର୍ଯ୍ୟଟକ ଭିସା ସୁବିଧା ଆରମ୍ଭ କରାଯାଇଥିଲା ।
ସୂଚନା ମୁତାବକ, ଚୀନରେ ରହି ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ କରୋନା ମହାମାରୀ ସମୟରେ ଭାରତ ଫେରିଥିଲେ । ଏବେ ସଂକ୍ରମଣ କମ ହୋଇଥିଲେ ବି ଚୀନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ଅନୁମତି ଦେଉନାହିଁ । ଏହି କାରଣରୁ ଏବେ ଭାରତ ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କରିଛି । ଏପ୍ରିଲ୍ ୨୦ ରେ ଆଇଏଟିଏ ଏକ ସର୍କୁଲାର ଜାରି କରିଥିଲା । ସେଥିରେ କୁହାଯାଇଥିଲା ଯେ, ଚୀନର ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ । ୧୦ବର୍ଷର ବୈଧତା ଥିବା ପର୍ଯ୍ୟଟନ ଭିସାକୁ ଏବେ ବାତିଲ କରାଯାଇଛି ।