ମଜାର-ଏ-ସରିଫରୁ ୫୦ ଜଣ ଭାରତୀୟଙ୍କୁ ଫେରାଇ ଆଣିଲା ଭାରତ
କାବୁଲ : ଆଫଗାନିସ୍ତାନରେ ତାଲିବାନି ଆତଙ୍କ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ପ୍ରମୁଖ ସହର ମଜାର-ଏ-ସରିଫ ଅଧିକାର କରିବାକୁ ତାଲିବାନ ଅଗ୍ରସର ହେଉଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭାରତ ସେଠାରେ ଥିବା ନିଜର ବାଣିଜ୍ୟ ଦୂତାବାସକୁ ବନ୍ଦ କରିଦେଇଛି । ଏହା ସହିତ ସେଠାରେ ଥିବା ପ୍ରାୟ ୫୦ ଜଣ ଭାରତୀୟଙ୍କୁ ସେଠାରୁ ଭାରତକୁ ଫେରାଇ ଅଣାଯାଇଛି ।
ମଜାର-ଏ-ସରିଫରୁ ଏହି ୫୦ ଜଣ ଭାରତୀୟଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ବୁଧବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଥିଲା । ଗତ କାଲି ସେଠାରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଅଫିସ ତରଫରୁ ଏହି ସ୍ବତନ୍ତ୍ର ବିମାନ ସଂପର୍କରେ ଭାରତୀୟମାନଙ୍କୁ ସୂଚୀତ କରାଯାଇଥିଲା । ଭାରତ ପୂର୍ବରୁ କାନ୍ଦାହାରରେ ଥିବା ନିଜର ବାଣିଜ୍ୟ ଦୂତାବାସକୁ ବନ୍ଦ କରିସାରିଛି । ତାଲିବାନ ଇତି ମଧ୍ୟରେ ମଜାର-ଏ-ସରିଫର ପ୍ରାୟ ଏକ ଚତୁର୍ଥାଂଶ ଅଧିକାର କରିନେଇଛି । ତେବେ ଆଫଗାନ ସେନା ଓ ତାଲିବାନ ମଧ୍ୟରେ ଏବେ ଘମାଘୋଟ ଲଢେଇ ଚାଲିଛି । ସରକାରୀ ସୈନ୍ୟଙ୍କ ମନୋବଳ ବଢାଇବାକୁ ଆଜି ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି ସେଠାରେ ପହଞ୍ଚିଛନ୍ତି । ତାଲିବାନ ଇତିମଧ୍ୟରେ ଆଫଗାନିସ୍ତାନର ୯ଟି ରାଜ୍ୟର ରାଜଧାନୀକୁ ଅଧିକାର କରିସାରିଲାଣି । ତାଲିବାନ ଭୟରେ ଗତକାଲି କୁନ୍ଦୁଜଠାରେ ଶତାଧିକ ଆଫଗାନ ସୈନ୍ୟ ଆତ୍ମସମର୍ପଣ କରିଥିଲେ ।