ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଶୃଙ୍ଖଳା : ଟି-୨୦ ବିଶ୍ଵକପ୍ ପରାଜୟର ପ୍ରତିଶୋଧ ନେବ ଭାରତ!
ଜୟପୁର : ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବୁଧବାର ଗୋଲାପି ସହର ଜୟପୁରରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱ ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସେହିପରି ଉପଅଧିନାୟକ ଦାୟିତ୍ଵରେ ଅଛନ୍ତି କେଏଲ ରାହୁଲ। ଟି-୨୦ ବିଶ୍ଵ କପ୍ରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ଏହି ମ୍ୟାଚ୍ରେ କିନ୍ତୁ ଟସ୍ର ସେତେଟା ମହତ୍ବ ରହିବନି। କାରଣ ମ୍ୟାଚ୍ର ଉଭୟ ପାଳିରେ କାକର ସମାନ ପରିମାଣରେ ପଡ଼ିବ। ଗତ ଦୁଇ ଦିନର ପରିସ୍ଥିତି ଅନୁଯାୟୀ ଜୟପୁରରେ ସଂପ୍ରତି ରାତି ୭ଟାରୁ କାକର ପଡ଼ିବା ଆରମ୍ଭ ହୋଇଯାଉଛି। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ପାଖାପାଖି ସେହି ସମୟରେ ଆରମ୍ଭ ହେବାର ଥିବାରୁ କୌଣସି ଦଳ ଫାଇଦାରେ ରହିବେନି। ଅର୍ଥାତ୍ ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କଲେ ମଧ୍ୟ ବିଶେଷ ଫାଇଦାରେ ରହିବନି। ଆୟୋଜକ ରାଜସ୍ଥାନ କ୍ରିକେଟ୍ ସଂଘ ମଧ୍ୟ କାକର ନିରୋଧୀ ସ୍ପ୍ରେ’ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି।
ଭାରତୀୟ ଦଳରେ ନୂତନ ଚେହେରା ଭାବେ ଭେଙ୍କଟେଶ ଆୟର, ହର୍ଷଲ ପଟେଲ ଓ ଅଭେଶ ଖାନଙ୍କ ପରି ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି। ଅନ୍ୟପକ୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦେଇଛି। ଆହତ କାରଣରୁ ପାଣ୍ଡ୍ୟା ନିଜର ଅଲରାଉଣ୍ଡର ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି। ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟରଙ୍କୁ ଏବେ ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଦେଖା ଯାଉଛି। ଆସନ୍ତାକାଲି ଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ଜଣାପଡ଼ିବ ଯେ ଆୟର ପେସ୍ ବୋଲିଂ ଅଲରାଉଣ୍ଡର ପାଇଁ ଫିଟ୍ ନା ନାହିଁ। ଭାରତ ତା’ର ବ୍ୟାଟିଂ ବିଭାଗରେ ଅଧିକ ପାୱାର ହିଟର୍ ରଖିପାରେ। ଆଇପିଏଲରେ କେକେଆର ପକ୍ଷରୁ ଖେଳିଥିବା ଆୟୀ ଲମ୍ବା ଓ ବଡ଼ ଶଟ୍ ଖେଳିବାର କ୍ଷମତା ରଖିଛନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯେଉଁ ଅନ୍ୟ ଖେଳାଳିଙ୍କୁ ଚୟନ କରାଯାଇଛି, ସେଥିମଧ୍ୟରୁ ଋତୁରାଜ ଗାଏକ୍ୱାଡ୍, ହର୍ଷଲ୍ ପଟେଲ, ଆଭେଶ ଖାନ ଓ ୟୁଜବେନ୍ଦ୍ର ଚହଲ୍ ସାମିଲ ଅଛନ୍ତି। ଚହଲଙ୍କୁ ଟି-୨୦ ବିଶ୍ୱକପ୍ ଟିମରୁ ବାଦ୍ ଦିଆଯାଇଥିବା ନିଷ୍ପତ୍ତିକୁ ନେଇ ଖୁବ୍ ବିବାଦ ହୋଇଥିଲା। ଯଶପ୍ରୀତ ବୁମ୍ରାଙ୍କୁ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ଭାରତ ଆଉଏକ ପେସ୍ ବୋଲର ସନ୍ଧାନ କରିବାକୁ ଚାହିଁବ। ଭୁବନେଶ୍ୱର କୁମାର ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ତାଙ୍କୁ ଲୟ ଫେରିପାଇବା ପାଇଁ ଆଉ ଏକ ସୁଯୋଗ ମିଳିଛି। କ୍ୟାପଟେନ୍ ରୋହିତ୍ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଅଷ୍ଟ୍ରେଲିଆ ପରିବେଶକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ଯୋଗ୍ୟତା ମାପିବାକୁ ଚାହିଁବେ। କାରଣ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବ। ରୋହିତ୍ ଓ ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ୍ ଇନିଂସ୍ ଓପନ୍ କରିପାରନ୍ତି। କିନ୍ତୁ ଈଶାନ୍ କିଶନ ଓ ଗାଏକ୍ୱାଡଙ୍କ ଭଳି ବିକଳ୍ପ କାରଣରୁ ଭାରତ କିଛି ପ୍ରୟୋଗ କରିପାରେ। ଏପରିକି ଭେଙ୍କଟେଶ ଆୟର କେକେଆର ପକ୍ଷରୁ ଓପନ୍ କରି ଖୁବ୍ ରନ୍ କରିଛନ୍ତି। କିନ୍ତୁ ସେ ମିଡଲ୍ ଅର୍ଡରରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି। ସୂର୍ଯ୍ୟକୁମାର ବିଶ୍ୱକପରେ ଲୟ ହାସଲ କରିପାରିନଥିଲେ କିନ୍ତୁ ସେ ଏଭଳି ଜଣେ ଖେଳାଳି, ଯାହାଙ୍କୁ ଅଷ୍ଟ୍ରେଲିଆ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚତୁର୍ଥ ସ୍ଥାନ ପାଇଁ ପ୍ରସ୍ତୁତ କରିବା ଦରକାର।
ସୂଚନା ଯେ, ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ପ୍ରଥମ ଟି-୨୦ ନଭେମ୍ବର ୧୭ରେ ଜୟପୁରର ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଦ୍ଵିତୀୟ ଟି-୨୦ ନଭେମ୍ବର ୧୯ରେ ରାଞ୍ଚିରେ ଏବଂ ତୃତୀୟ ଟି-୨୦ ନଭେମ୍ବର ୨୧ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହା ପରେ ନଭେମ୍ବର ୨୫ରେ କାନପୁରରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୩ ତାରିଖରୁ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ। ଦେଖିବାକୁ ବାକି ରହିଲା ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ସିରିଜ୍ରେ କେମିତି ପ୍ରଦର୍ଶନ କରୁଛି।