ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦, କର ବା ମର ସ୍ଥିତିରେ ଟିମ ବ୍ଲୁ
ଲକ୍ଷ୍ନୌ: ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦। ସନ୍ଧ୍ୟା ୭ଟାରେ ଲକ୍ଷ୍ନୌରେ ଖେଳାଯିବ ଏହି ମ୍ୟାଚ୍ । ପ୍ରଥମ ଟି-୨୦ରେ ଭାରତ ପରାସ୍ତ ହେବା ପରେ ଆଜି କର ବା ମର ସ୍ଥିତି । ଆଜିର ମ୍ୟାଚ୍ ଜିତି ପୁଣି ସରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ । ସେପଟେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଚେଷ୍ଟା କରିବ ।
ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିବା ଥିବା ଭାରତ ଶେଷ ଦୁଇଟି ଟି-୨୦ ଜିତି ସିରିଜ ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ଶୁକ୍ରବାର ରାଞ୍ଚିରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୨୧ ରନରେ ଘରୋଇ ଦଳକୁ ମାତ୍ ଦେଇଥିଲା । ନ୍ୟୁଜିଲାଣ୍ଡ ୬ ୱିକେଟ୍ ବିନିମୟରେ ୧୭୬ ରନ୍ କରିଥିଲା । ୧୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୯ ୱିକେଟ୍ ବିନିମୟରେ ୧୫୫ ରନ୍ କରିପାରିଥିଲା । ୧୫ ରନ୍ ମଧ୍ୟରେ ଶୀର୍ଷ ୩ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ ପାଳିକୁ ସମ୍ଭାଳିଥିଲେ । ୱାସିଂଟନ୍ ସୁନ୍ଦର ଟି-୨୦ରେ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ବି ଦଳକୁ ଜିତାଇବା ପାଇଁ ପର୍ଯ୍ୟାପ୍ତ ହୋଇନଥିଲା ।
ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଏଥିପାଇଁ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରନ୍ତି । ଦିନିକିଆରେ ରୋକ୍ ଧମାଲ ମଚେଇଥିବା ଶୁବମନ ଗିଲ ଏପର୍ଯ୍ୟନ୍ତ ଟି-୨୦ ରେ କିଛି ଖାସ୍ କରି ପାରି ନାହାଁନ୍ତି । ଦ୍ୱିତୀୟ ଟି-୨୦ ରେ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ଙ୍କୁ ପ୍ଲେଇଂ ଇଲେଭେନେରେ ତାଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ପରେ ଚୟନକର୍ତ୍ତାମାନେ ତାଙ୍କୁ ଦଳରେ ସାମିଲ କରିଛନ୍ତି। ପୃଥ୍ୱୀ ଶ’ ଏକ ଶତକ ସହିତ ଟିମ୍ ଇଣ୍ଡିଆରେ ଟେଷ୍ଟ ଡେବ୍ୟୁ କରିଥିଲେ, କିନ୍ତୁ ଏହା ପରେ ଆଘାତ ଓ ଖରାପ ଫର୍ମ କାରଣରୁ ତାଙ୍କୁ ଦଳରୁ ବାହାରେ ବସିବାକୁ ପଡିଥିଲା । ବର୍ତ୍ତମାନ ସେ ଟି-୨୦ ଦଳକୁ ଫେରିଛନ୍ତି ଓ ଦ୍ୱିତୀୟ ମ୍ୟାଚ୍ରେ ସେ ପ୍ଲେଇଂ ଇଲେଭେନରେ ଖେଳିବେ ବୋଲି ଆଶା କରାଯାଉଛି । ଟିମ୍ ଇଣ୍ଡିଆରୁ ଓହରିଯିବା ପରେ ପୃଥ୍ୱୀ ଶ’ ଘରୋଇ କ୍ରିକେଟରେ ଲଗାତର ବଡ଼ ବଡ଼ ରନ୍ ସ୍କୋର କରିଛନ୍ତି । ଏହି ବ୍ୟାଟ୍ସମ୍ୟାନ୍ ତିନୋଟି ଫର୍ମାଟରେ ବଡ ଇନିଂସ ଖେଳିଛନ୍ତି। ଟି-୨୦ ଫର୍ମାଟରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଏକ ଶତକ, ଦିନିକିଆ ଫର୍ମାଟରେ ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ଓ ଟେଷ୍ଟ ଫର୍ମାଟରେ ରଣଜୀ ଟ୍ରଫିରେ ତ୍ରି-ଶତକ ହାସଲ କରିଛନ୍ତି । ନିକଟରେ, ଯେତେବେଳେ ଆସାମ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ପୃଥ୍ୱୀ ଶ’ ୩୭୯ ରନ୍ ଇନିଂସ ଖେଳିଥିଲେ, ଚୟନକର୍ତ୍ତାମାନେ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦେବାକୁ ବାଧ୍ୟ ହୋଇଥିଲେ । ରଣଜୀ ଇତିହାସରେ ପୃଥ୍ୱୀ ଶ’ଙ୍କ ଏହି ଇନିଂସ ଦ୍ୱିତୀୟ ବୃହତ୍ତମ ଇନିଂସ ଥିଲା । ଏହି ବ୍ୟକ୍ତିଗତ ସଫଳତା ପାଇଁ ବିସିସିଆଇ ସଚିବ ଜୟ ଶାହା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।